ଭାରତ ବିରୋଧୀ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ରର ଅଂଶ କଂଗ୍ରେସ, ହରିୟାଣାରେ ବିଜୟର ହ୍ୟାଟ୍ରିକ୍ ପରେ ପିଏମ୍ ମୋଦୀ

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ହରିୟାଣାରେ ବିଜେପିର ହ୍ୟାଟ୍ରିକ୍ ପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟରେ ପହଞ୍ଚି ପାର୍ଟି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ ସମ୍ୱୋଧିତ କରିଛନ୍ତି । ଏହାସହ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ପିଏମ୍ ମୋଦୀ ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ଭାରତ ବିରୋଧୀ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ରର ଅଂଶ ଏବଂ ଏହି ଖେଳରେ ସାମିଲ ଅଛି । ପିଏମ୍ କହିଛନ୍ତି ଯେ ଗତ କିଛି ବର୍ଷରେ ଭାରତ ବିରୋଧରେ ଅନେକ ଷଡ଼ଯନ୍ତ୍ର ଚାଲିଛି । ଭାରତର ଗଣତନ୍ତ୍ର, ଅର୍ଥତନ୍ତ୍ର ଏବଂ ସାମାଜିକ ସମ୍ୱନ୍ଧକୁ ଦୁର୍ବଳ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର ଚାଲିଛି । ପିଏମ୍ କହିଛନ୍ତି ଯେ କଂଗ୍ରେସ ପରି ରାଷ୍ଟ୍ରୀୟ ଦଳ ଏବଂ ତାଙ୍କ ସହଯୋଗୀ ଏହି ଗୋଷ୍ଠୀରେ, ଏହି ଖେଳରେ ସାମିଲ ଅଛନ୍ତି । ହରିୟାଣା ଏହିପରି ଏକ ଷଡ଼ଯନ୍ତ୍ରକୁ ମୁହଁତୋଡ଼ ଜବାବ ଦେଇଛି । ପିଏମ୍ କହିଛନ୍ତି ଯେ ଏହି ଦଶ ବର୍ଷରେ କେନ୍ଦ୍ର ସରକାର ଉପରେ ଦୁର୍ନୀତିର ଗୋଟିଏ ବି ଦାଗ ନାହିଁ । ହରିୟାଣାରେ ୧୦ ବର୍ଷର ସରକାର ଉପରେ ଦୁର୍ନୀତିର ଗୋଟିଏ ବି ଦାଗ ନାହିଁ ।

ପିଏମ୍ ମୋଦୀ କହିଛନ୍ତି ଯେ ହରିୟାଣାର ବିଜୟ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ । ହରିୟାଣାର ବିଜୟ ଆମ ବିନମ୍ର ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟର ବିଜୟ । ମିଛ ଉପରେ ବିକାଶର ଗ୍ୟାରେଣ୍ଟି ଭାରି ପଡ଼ିଛି । ସେ କହିଛନ୍ତି ଯେ ହରିୟାଣାରେ ଆଜି ପର୍ଯ୍ୟନ୍ତ ୧୩ ନିର୍ବାଚନ ହୋଇଛି । ହରିୟାଣାବାସୀ ୧୦ ନିର୍ବାଚନରେ ପ୍ରତି ୫ ବର୍ଷ ପରେ ସରକାର ବଦଳାଇଥିଲେ । ଏଥର ହରିୟାଣାବାସୀ ଯାହା କରିଲେ ତାହା ଅଦ୍ଭୂତପୂର୍ବ ଅଟେ । ପ୍ରଥମ ଥର ପାଇଁ ପାଞ୍ଚ ବର୍ଷର ଦୁଇ କାର୍ଯ୍ୟକାଳ ପୂରା କରିଥିବା କୌଣସି ସରକାରକୁ ପୁଣି ଥରେ ସୁଯୋଗ ମିଳିଛି । ଆମକୁ ଆସନରୁ ଅଧିକ ଭୋଟ୍ ସେୟାର ମିଳିଛି । ଏହି ଜନାଦେଶ ଦୂର ଦୂର ଯାଏ ଗୁଞ୍ଜରିତ ହେବ । ପିଏମ୍ ମୋଦୀ କହିଛନ୍ତି ଯେ ବିକାଶ ପ୍ରସଙ୍ଗରେ ଜନତା ବିଜେପିକୁ ହ୍ୟାଟ୍ରିକ ବିଜୟ ଦେଇଛନ୍ତି ।

ପିଏମ୍ ମୋଦୀ ଜାତି ଜନଗଣନା ପ୍ରସଙ୍ଗରେ ବି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଲଗାତାର ଜାତି ଜନଗଣନା ପାଇଁ ଦାବି କରୁଛି । ପିଏମ୍ ମୋଦୀ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ନିଜ ଜନ୍ମସିଦ୍ଧ ଅଧିକାର ବୋଲି ଭାବୁଛି । ଏଥିପାଇଁ ସରକାରକୁ ଆସିବା ପରେ କଂଗ୍ରେସ ଦେଶକୁ, ସମାଜକୁ ବାଜିରେ ଲଗାଇବାକୁ ପଛାଏ ନାହିଁ । ପିଏମ୍ କହିଛନ୍ତି କଂଗ୍ରେସ କିପରି ସମାଜରେ ଜାତିର ବିଷ ବୁଣିବାକୁ ଉଦ୍ୟମ କରୁଛି ତାକୁ ସାରା ଦେଶ ଦେଖୁଛି । ଯେଉଁମାନେ ସୁନା ଚାମଚ ଧରି ଜନ୍ମ ହୋଇଛନ୍ତି, ପିଢି ପରେ ପିଢି ଫାଇଭ୍ ଷ୍ଟାର୍ ଜୀବନ ବିତାଉଛନ୍ତି ସେମାନେ ଗରିବଙ୍କୁ ଜାତି ନାଁରେ ଲଢାଇବା ପାଇଁ ଚାହୁଁଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଦଳିତ, ପଛୁଆଙ୍କ ଉପରେ ସବୁଠୁ ଅଧିକ ଅତ୍ୟାଚର କରିଛି । କଂଗ୍ରସ ଦଳିତ ଏବଂ ପଛୁଆଙ୍କ ସଂରକ୍ଷଣ ଛଡ଼ାଇ ନିଜ ଭୋଟ୍ ବ୍ୟାଙ୍କକୁ ଦେବାକୁ ଚାହୁଁଛି । ସେ କହିଛନ୍ତି ଯେ କଂଗ୍ରେସ ଭାରତରେ ଅରାଜକତା ସୃଷ୍ଟି କରି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛି । ଏଥିପାଇଁ ଅଳଗା ଅଲଗା ବର୍ଗର ଲୋକଙ୍କୁ ଉତ୍ତେଜିତ କରାଯାଉଛି । ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ୟମ କଲା କିନ୍ତୁ ହରିୟାଣାର ଚାଷୀ କଂଗ୍ରେସକୁ କଡ଼ା ଜବାବ ଦେଇଛନ୍ତି । କଂଗ୍ରେସ ଯୁବ ବର୍ଗଙ୍କୁ ଭ୍ରମିତ କରି ଉତ୍ତେଜିତ କରିବାକୁ ଉଦ୍ୟମ କଲା ସେମାନେ ମଧ୍ୟ କଡ଼ା ଜବାବ ଦେଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.