'କହ୍ନୈୟାଲାଲ ହତ୍ୟାକାଣ୍ଡ' ୟୁପିରେ ହୋଇଥିଲେ...ଯୋଗୀଙ୍କ ଗର୍ଜନରେ ଗରମ ରାଜସ୍ଥାନ ରାଜନୀତି

Published By : Prameya-News7 Bureau | November 01, 2023 IST

ଜୟପୁର: ରାଜସ୍ଥାନର ଅଲୱର ଜିଲ୍ଲାର ତିଜାରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ସାଂସଦ ବାବା ବାଳକ ନାଥ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି । ବାଳକ ନାଥଙ୍କ ନାମାଙ୍କନରେ ସାମିଲ ହେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନ ପହଞ୍ଚିଥିଲେ । ଏହା ପୂର୍ବରୁ ସାଂସଦ ବାଳକ ନାଥ ବହୁ ସଂଖ୍ୟା ନିଜ ସମର୍ଥକଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନାମାଙ୍କନ ଦାଖଲ କରିବା ପରେ ଏକ ଜନସଭାକୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ବାବା ବାଳକ ନାଥ କଂଗ୍ରେସ ଉପରେ ବର୍ଷିଥିଲେ ।

ପଢନ୍ତୁ: ରାଜସ୍ଥାନ ବିଧାନସଭା ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ବଢ଼ିଲା ବସୁନ୍ଧରାଙ୍କ ପ୍ରଭାବ

ବାଳକ ନାଥଙ୍କ ନାମାଙ୍କନରେ ସାମିଲ ହେବା ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସକୁ କଡ଼ା ଟାର୍ଗେଟ୍ କରିଥିଲେ । ରାଜସ୍ଥାନ ଓ ଉତ୍ତର ପ୍ରଦେଶର ତୁଳନା କରି ଗେହଲଟ ସରକାରକୁ ହିନ୍ଦୁ ବିରୋଧୀ କହିଥିଲେ । ଏହାସହ କଂଗ୍ରେସ ସରକାର ଗୁଣ୍ଡାରାଜକୁ ବଢାଉଛି ବୋଲି ସେ କହିଥିଲେ । ଅନ୍ୟପଟେ ୟୁପିରେ ବ୍ୟବସାୟୀ କିମ୍ୱା ଗରିବ, ଦୁର୍ବଳ ବର୍ଗ ବ୍ୟକ୍ତିଙ୍କ ଜମି ଉପରେ କଜାବ କରିବା ପାଇଁ କୌଣସି ଗୁଣ୍ଡା କିମ୍ୱା ମାଫିଆ ସାହସ ନାହିଁ । ଯଦି କିଏ ଏପରି କରେ, ତେବେ ଗୁଲଡୋଜର ତାକୁ ଠିକ୍ କରିଦେଉଛି । ଉତ୍ତର ପ୍ରଦେଶର ମହିଳା-ଝିଅଙ୍କୁ ଖରାପ ନଜରରେ କେହି ଦେଖିବାକୁ ସାହସ କରିପାରିବେ ନାହିଁ ବୋଲି କହିଥିଲେ । ସେ କଂଗ୍ରେସର ତୁଷ୍ଟୀକରଣ ନୀତିକୁ ସମାଲୋଚନା କରି ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡ କଥା ଉଠାଇଥିଲେ । ଯୋଗୀ କହିଥିଲେ, ଯଦି ଏହି ହତ୍ୟାକାଣ୍ଡ ଉତ୍ତର ପ୍ରଦେଶରେ ହୋଇଥାନ୍ତା, ତେବେ ପରିଣାମ କଣ ହୋଇଥାନ୍ତା ତାହା ସମସ୍ତେ ଜାଣିଛନ୍ତି ।

ତିଜାରା ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିବା ପରେ ଜନସଭାରେ କଂଗ୍ରେସ ଉପରେ ଖୁବ ବର୍ଷିଥିଲେ ସାଂସଦ ବାବା ବାଳକ ନାଥ । ସେ କହିଥିଲେ, କଂଗ୍ରେସର ତୁଷ୍ଟୀକରଣ ରାଜନୀତିକୁ ଲୋକେ ବୁଝିସାରିଛନ୍ତି । ରାଜଗଡ଼ରେ ୩୦୦ ବର୍ଷ ପୁରୁଣା ମନ୍ଦିର ଭାଙ୍ଗି କଂଗ୍ରସେ ସରକାର ଘୋର ଅପରାଧ କରିଛି । ଏହାର ପରିଣାମ ଭୋଗିବାକୁ ପଡିବ । ଏଥର ଜନତା କଂଗ୍ରେସକୁ ଉପାଡି ଫିଙ୍ଗିଦେବେ ବୋଲି ବିଜେପି ସାଂସଦ କହିଛନ୍ତି ।  

Also Read: ଯୋଗୀ ସରକାରଙ୍କ ବଡ଼ କ୍ୟାମ୍ପେନ୍: ୫୦ ବର୍ଷ ବୟସ ଟପିଥିବା ପୋଲିସଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର ! 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.