ଶେଖ ହସିନାଙ୍କ ବିରୋଧରେ ବାଂଲାଦେଶ କୋର୍ଟରୁ ଗିରଫ ୱାରେଣ୍ଟ ଜାରି, ରହିଛି ଜମି ହଡପ ଅଭିଯୋଗ

Published By : Prameya-News7 Bureau | April 10, 2025 IST

ଢାକା ୧୦।୪: ବାଂଲାଦେଶ ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଆଉ ଏକ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ ଦୁର୍ନୀତି ମାମଲାରେ ଶେଖ ହସିନା, ତାଙ୍କ ଝିଅ ସାଇମା ୱାଜିଦ ପୁତୁଲ ଓ ଅନ୍ୟ ୧୭ ଜଣଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛି। ସମସ୍ତଙ୍କୁ ବାସପୋଯୋଗୀ ଜମି ଜାଲିଆତି କରି ହାତେଇବାର ଅଭିଯୋଗରେ ଅଭିଯୁକ୍ତ କରାଯାଇଛି।  

ଢାକା ମେଟ୍ରୋପାଲିଟନ ଜଜ୍ ଜାକିର ହୁସେନ ଗାଲିବ ଗୁରୁବାର ଦୁର୍ନୀତି ନିବାରଣ ଆୟୋଗ (ଏସିସି) ପକ୍ଷରୁ ଦାଖଲ ଅଭିଯୋଗପତ୍ରକୁ ସ୍ୱୀକାର କରିଛନ୍ତି। ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଆୟୋଗର ଓକିଲ ମୀର ଅହମଦ ସଲାମ ସାମ୍ବାଦିକଙ୍କୁ କହିଛନ୍ତି ଯେ ବରିଷ୍ଠ ଜଜ୍ ଜାକିର ହୁସେନ ଗାଲିବ ଏସିସିର ଅଭିଯୋଗପତ୍ର ସ୍ୱୀକାର କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। 

ସେ କହିଛନ୍ତି ଯେ ଏସିସିଙ୍କୁ ଶୁଣାଣି ନିମନ୍ତେ ମାମଲା ସମ୍ପର୍କିତ ଯାଞ୍ଚ ରିପୋର୍ଟ ମେ ୪ ତାରିଖ ସୁଦ୍ଧା କୋର୍ଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସିସି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଅନ୍ୟମାନଙ୍କ ବିରୋଧରେ ଜାନୁୟାରୀ ୧୨ ତାରିଖ ଦିନ ମକଦ୍ଦମା ରୁଜୁ କରିଥିଲା। ଅଭିଯୋଗପତ୍ର ଅନୁସାରେ ସାଇମା ତାଙ୍କ ମା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଭୂମି ହାତେଇବା ନିମନ୍ତେ ପ୍ରଭାବିତ କରିଥିଲେ। ୧ ନଭେମ୍ବର ୨୦୨୩ରେ ସାଇମା ନୂଆଦିଲ୍ଲୀସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ଦକ୍ଷିଣ-ପୂର୍ବ ଏସିୟା କ୍ଷେତ୍ରୀୟ ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ ଥିଲେ। 

ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯୋଗୁ କ୍ଷମତା ପରିବର୍ତ୍ତନରେ ଶେଖ ହସିନା ଦେଶ ଛାଡି ଭାରତ ପଳାୟନ କରିଥିଲେ। ଶେଖ ହସିନାଙ୍କ ପଳାୟନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଦେଶରେ ଅନ୍ତରୀଣ ସରକାର ଗଠନ ହୋଇଥିଲା। ସେବେଠାରୁ ହସିନାଙ୍କୁ ଅନେକ ମାମଲାରେ ଅଭିଯୁକ୍ତ କରାଗଲାଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.