ଢାକା ୧୦।୧୪: ବାଂଲାଦେଶରେ ପୁଣି ହଲଚଲ ଦେଖାଯାଇଛି। ରାଜଧାନୀ ଢାକାରେ ସେନାର ୫ ବଡ଼ ସୈନ୍ୟ ଅଧିକାରୀଙ୍କୁ ଗୁରୁବାର ହାଉସ୍ ଆରେଷ୍ଟ କରାଯାଇଛି। ମିଡିଆ ରିପୋର୍ଟ ଅନୁସାରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱକାର ଉଲ ଜମାନଙ୍କ ଋଷିଆ ଗସ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହି ଘଟଣାକ୍ରମ ଏବେ ଢାକା ପ୍ରତି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
ରିପୋର୍ଟ ଅନୁସାରେ ବାଂଲାଦେଶ ସେନାର ଯେଉଁ ୫ ବରିଷ୍ଠ ଅଧିକାରୀ ଢାକା ଛାଉଣୀରେ ନଜରବନ୍ଦୀ ଅଛନ୍ତି ସେମାନଙ୍କ ମଧ୍ୟରେ ୨ ଜଣ ବ୍ରିଗେଡିୟର, ଜଣେ କର୍ଣ୍ଣେଲ, ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ମେଜର ଅଛନ୍ତି। ଏହି ସୈନ୍ୟ ଅଧିକାରୀମାନଙ୍କୁ ଏପ୍ରିଲ ୫ ତାରିଖରୁ ସେମାନଙ୍କ ସରକାରୀ କ୍ୱାର୍ଟର ପର୍ଯ୍ୟନ୍ତ ସୀମିତ କରି ଦିଆଯାଇଥିଲା। ବାଂଲାଦେଶ ଅନ୍ତରୀଣ ସରକାର ସାର୍ବଜନିକ ରୂପେ ୫ ଅଧିକାରୀଙ୍କ ପରିଚୟ ଘୋଷଣା କରୁ ନାହାନ୍ତି।
ତେବେ ଭାରତୀୟ ଏଜେନ୍ସୀ ଏହି ୫ ଅଧିକାରୀଙ୍କୁ ଚିହ୍ନଟ କରିଛନ୍ତି। ଏମାନଙ୍କ ମଧ୍ୟରେ ବ୍ରିଗେଡିୟର ଜେନେରାଲ ଏସ.ଏମ.ଜକାରିୟା ହୁସୈନ (ଇଞ୍ଜିନିୟର୍ସ ବ୍ରିଗେଡ), ବ୍ରିଗେଡିୟର ଜେନେରାଲ ଇମରାନ ହମିଦ (ଇନଫେଣ୍ଟ୍ରି ବ୍ରିଗେଡ) ଅଛନ୍ତି। ଜେନେରାଲ ହମିଦ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଏଡିସି ଥିଲେ। ଏହାଛଡା ରାପିଡ ଆକ୍ସନ ବଟାଲିୟନ (ଆରଏବି)ରୁ କର୍ଣ୍ଣେଲ ଅବଦୁଲ୍ଲା ଅଲ ସୋମେନ, ବର୍ଡରଗାର୍ଡ ବାଂଲାଦେଶ (ବିଜିବି)ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହମ୍ମଦ ରିଦବାନୁଲ ଇସ୍ଲାମ ଓ ଇଷ୍ଟ ବେଙ୍ଗଲ ରେଜିମେଣ୍ଟରୁ ମେଜର ମହମ୍ମଦ ନୋମାନ ଅଲ ଫାରୁଖ ଙ୍କୁ ମଧ୍ୟ ନଜରବନ୍ଦୀ କରାଯାଇଛି।
ଏଜେନ୍ସୀମାନଙ୍କରୁ ମିଳୁଥିବା ରିପୋର୍ଟ ଅନୁସାରେ ଏହି ସବୁ ଅଧିକାରୀଙ୍କୁ ୨୪ ଘଣ୍ଟା ନଜରରେ ରଖାଯାଇଥିବା ବେଳେ ସେମାନଙ୍କୁ ସବୁ ଦାୟିତ୍ୱରୁ ମୁକ୍ତ କରିଦିଆଯାଇଛି। ସେମାନଙ୍କ ଗତିବିଦ୍ଧି ଉପରେ କଟକଣା ଜାରି ହୋଇଥିବା ବେଳେ ଯେପରି ଦେଶ ନଛାଡି ପାରନ୍ତି ସେଥି ପ୍ରତି କଡ଼ା ନଜର ରଖାଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ (ଆଇସିଟି) ଅଧିକାରୀଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛି। ଏହା ପରେ ସେନାମୁଖ୍ୟ ୱକାର ଉଜ ଜମାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ମଞ୍ଜୁରୀ ଦେଇଛନ୍ତି।
ତେବେ ମିଳୁଥିବା ସୂଚନା ଅନୁସାରେ ସେନାମୁଖ୍ୟ ଓକାର ଉଜ ଜମାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜି ନଥିଲେ। ହେଲେ ଆଇସିଟି ପକ୍ଷରୁ ସେମାନଙ୍କ ବିରୋଧରେ ନିଷ୍କର୍ଷ ପ୍ରସ୍ତୁତ କରିବା ପରେ ଅଧିକାରୀଙ୍କ ବିରୋଧରେ ହାଉସ୍ ଆରେଷ୍ଟ ଆଦେଶ ଜାରି ହୋଇଥିଲା। ଜଣେ ଅଧିକାରୀଙ୍କ ଅନୁସାରେ ଏହା ଏକ ଓପନ ଆରେଷ୍ଟ ଓ ସେମାନେ ନିଜ ଘରେ ହିଁ ରହୁଛନ୍ତି। ତେବେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ସେମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ହଟାଇ ଦିଆଯାଇଛି ଓ କୌଣସି ପରିସ୍ଥିତିରେ ବି ଦେଶରୁ ବାହାରକୁ ଯାଇ ପାରିବେ ନାହିଁ।