ବରଗଡ଼: ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭ ଶଙ୍ଖ। ସୁରୁଖୁରୁରେ ଯେପରି ଯାତ୍ରା ସମାପନ ହେବ ସେଥିପାଇଁ ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ହାଟପଦା ସଞ୍ଚାର ମଣ୍ଡପକୁ ପହଞ୍ଚିଥିଲା, ସେଠାରେ ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି।
ରାଜ ପୁରୋହିତଙ୍କ ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁସାରେ ସନ୍ଧ୍ୟାରେ ପ୍ରଥମେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ସହର ମୁଖ୍ୟ ରାସ୍ତାଦେଇ ହାଟପଦା ପଡ଼ିଆ ସ୍ଥିତ ସଂଚାର ମଣ୍ଡଳୀକୁ ପହଞ୍ଚିଥିଲା। ସେଠାରେ ରାଜ ପୁରୋହିତଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ୍ ଓ ଏସପି ପ୍ରହଲ୍ଲାଦ ସହାଈ ମୀନା କର୍ତ୍ତା ଦାୟିତ୍ଵ ନେଇ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଧନୁଯାତ୍ରା ର ବିଭିନ୍ନ କମିଟିର ସଦସ୍ୟ ସହ ଧନୁଯାତ୍ରାର କଳାକାର ଓ ଜନ ସାଧାରଣ ସାମିଲ ହୋଇଥିଲେ । ତେବେ ଶୁଭସ୍ତମ୍ଭ ସ୍ଥାପନ ହେବାପରେ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ସୂଚନାଥାଉକି, ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୭ ବର୍ଷରେ ପଦାର୍ପଣ କରିଛି । ଜାନୁୟାରୀ ୦୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଏଗାର ଦିନ ଆୟୋଜିତ ହେବ ମହୋତ୍ସବ । ଚଳିତ ବର୍ଷ ନୂତନ କଂସ ଭାବେ ଭୁବନେଶ୍ୱର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଧନୁଯାତ୍ରାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେନେଇ କଳାକାର ମଧ୍ୟ ନୂତନ ଡାଇଲଗ ଓ ନୂତନ ଅଭିନୟ ଦେଖାଇବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସେପଟେ ଧନୁଯାତ୍ରା ପାଇଁ ଆଉ କିଛି ଦିନ ବାକି ଥିବାବେଳେ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ଦେଖିବାକୁ ମିଳିଛି ।