ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , ୩ ମୃତ

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ ୦୩।୧୦: ଉତ୍ତରପ୍ରଦେଶର ବରେଲିରେ ଅଘଟଣ । ଏକ ଘରେ ବେଆଇନ ଭାବେ ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଅନେକ ଘର ନଷ୍ଟ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଏହି ଘଟଣା ବରେଲିର ସିରାଉଲି ପୋଲିସ ଷ୍ଟେସନ ଅଞ୍ଚଳର କଲ୍ୟାଣପୁର ଗ୍ରାମରେ ଘଟିଛି। ଏଠାରେ ରେହମାନ ଶାହା ନାମକ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ବାଣ ତିଆରି କରିବା ସମୟରେ ଏହି ବ୍ଲାଷ୍ଟ ହୋଇଥିଲା। ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଶୁଣିବା ପରେ ଥରି ଉଠିଲେ। ବିସ୍ଫୋରଣ ପରେ ସବୁଆଡେ ଧୂଆଁ ଏବଂ ଧୂଳିରେ ପରିପୂର୍ଣ୍ଣ ହୋଇଯାଇଥିଲା । ଆଖପାଖରେ ଥିବା ଅନେକ ଘରକୁ ନିଆଁ ବ୍ୟାପିଯାଇ ସବୁକିଛି ନଷ୍ଟ ହୋଇଯାଇଥିଲା।

ବେଆଇନ ଭାବେ ବାଣ ତିଆରି କରାଯାଉଥିଲା

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏଡିଜି ଜୋନ୍, ଏସଏସପି, ଡିଏମଙ୍କ ସମେତ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ପିଲା ନିଖୋଜ ଅଛନ୍ତି। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଚାଲିଛି । ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗୁରୁତରଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.