ପଳାତକ ରାଷ୍ଟ୍ରପତିଙ୍କ କାର୍‌ ସୌକ, କଲେକ୍ସନ୍‌ରେ ସାମିଲ ରୋଲ୍ସ ରଏସ୍‌, ଫରାରୀ, ମର୍ସିଡିଜ୍‌

Published By : Prameya-News7 Bureau | December 15, 2024 IST

ନୂଆଦିଲ୍ଲୀ ୧୫।୧୨; ସିରିଆରେ ସରିଛି ଅସଦ ଯୁଗ । ୧୩ ବର୍ଷର ଗୃହଯୁଦ୍ଧ ପରେ ସିରିଆକୁ କବ୍ଜା କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ । ଏହାରି ମଧ୍ୟରେ ଦେଶ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ବଶର ଅଲ-ଅସଦ । ଗୋଟିଏ ପଟେ ଅସଦଙ୍କ ସାମ୍ରାଜ୍ୟରେ ଦେଶର ୯୦ ପ୍ରତିଶତ ଲୋକ, ଦାରିଦ୍ରରେ ଜୀବନଯାପନ କରିବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଅନ୍ୟ ପଟେ, ବଶର ଅଲ-ଅସଦଙ୍କ ରାଜକୀୟ ଶୈଳୀ କାହାଠାରୁ ଲୁଚି ନଥିଲା । 

ଅସଦଙ୍କ ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ ୨୦୨୩ ପର୍ଯ୍ୟନ୍ତ ତାଙ୍କ ପାଖରେ ୨୦୦ ଟନ୍ ସୁନା, ୧୬ ବିଲିୟନ ଡଲାର ଏବଂ ୫ ବିଲିୟନ ୟୁରୋ ସମେତ ଅନ୍ୟାନ୍ୟ ସମ୍ପତ୍ତି ରହିଥିଲା । କିନ୍ତୁ ଅସଦ ଯେତେବେଳେ ସିରିଆ ଛାଡି ପଳାୟନ କରିଛନ୍ତି ସେତେବେଳେ ନିଜ ସହ କଣ ନେଇଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏସବୁ ବ୍ୟତୀତ  ଅସଦଙ୍କର ରହିଛି ଏକ ବଡ ଲଗଜୁରୀ କାର କଲେକ୍ସନ୍‌ । ଯେଉଁଥିରେ ଅନେକ ଦାମୀ ଏବଂ ବିଳାସପୂର୍ଣ୍ଣ କାର୍ ସାମିଲ ରହିଛି । 

ଦେଶ ଛାଡିବା ପରେ ବିଦ୍ରୋହୀ ଗୋଷ୍ଠୀ ଅସଦଙ୍କ ବଙ୍ଗଳାକୁ ନଷ୍ଟ କରିବା ସମୟର ଫଟୋ ଭାଇରାଲ୍‌ ହୋଇଥିଲା । ଏହି ସମୟରେ ନଜରକୁ ଆସିଥିଲା ଅସଦଙ୍କ ଗ୍ୟାରେଜ୍ । ଏଥିରେ ଲଗଜୁରୀ କାର ହୋଇଥିଲା ପାର୍କି । ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ କାର କଲେକ୍ସନ ବିଷୟରେ କହିବାକୁ ଗଲେ ଏଥିରେ ସବୁଠାରୁ ଦାମୀ କାର ଥିଲା ରୋଲ୍ସ ରୋଏସ୍ ଫାଣ୍ଟମ୍ । ଯାହାର ଦାମ୍‌ ପ୍ରାୟ ୯ କୋଟି ଟଙ୍କା । ଏହାବ୍ୟତୀତ ଏଷ୍ଟନ୍ ମାର୍ଟିନ୍ ଡିବି ସିରିଜ୍ ରହିଥିଲା । ଏହାର ଦାମ୍‌ ପାଖାପାଖି ୩-୪ କୋଟି ଟଙ୍କା ।  

କେବଳ ଏତିକି ହିଁ ନୁହେଁ ବଶର ଅଲ-ଅସଦଙ୍କ କାର୍‌ କଲେକ୍ସନ୍‌ରେ ଫରାରୀ କାର୍‌ ନଜରକୁ ଆସିଥିଲା । ଏଥିରେ ଫରାରୀ ଏଫ୍‌୪୦, ଫରାରୀ ଏସ୍‌୪୩୦ ସାମିଲ ରହିଛି । ଏହାବ୍ୟତୀତ ଲାଲ୍‌ ଏବଂ କଳା ରଙ୍ଗର ଲଗଜୁରୀ ଲାମ୍ପୋର୍ଗିନି କାର ମଧ୍ୟ ରହିଥିଲା  । ପୂର୍ବରୁ ପଳାତକ ରାଷ୍ଟ୍ରପତିଙ୍କ ନିକଟରେ ମର୍ସିଡିଜ୍ ବେଞ୍ଜ୍ କୁପ, ବିଏମଡବ୍ଲୁ, ଅଡି ଭଳି ଡଜନେ କାର ପ୍ରାୟତଃ ଦେଖିବାକୁ ମିଳୁଥିଲା । ଯାହା ତାଙ୍କ ବଙ୍ଗଳାର ପାର୍କିଂରେ ପାର୍କ ହେଉଥିଲା ।  

ସୂଚନା ଅନୁଯାୟୀ ସିରିଆ ଗୃହଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡି ବିମାନରେ ଚାଲି ଯାଇଥିଲେ । ଏହାପରେ ସେ ରୁଷରେ ଆଶ୍ରୟ ନେଇଛନ୍ତି । ସିରିଆରେ ବିଦ୍ରୋହ ୨୦୧୧ରେ ଆରମ୍ଭ ହୋଇଥିଲା । ଯେତେବେଳେ ଅସଦ ସରକାର ଗଣତନ୍ତ୍ର ସମର୍ଥକ ବିରୋଧକୁ ଅତି ନିର୍ମମ ଭାବରେ ଦମନ କରିଥିଲେ। ଏହି ବିବାଦ ଧୀରେ ଧୀରେ ଗୃହଯୁଦ୍ଧରେ ପରିଣତ ହୋଇଥିଲା । 

ଯେଉଁଥିରେ ଅସଦ ସରକାରଙ୍କ ବିରୁଦ୍ଧରେ ଅନେକ ବିଦ୍ରୋହୀ ଗୋଷ୍ଠୀ ମୁଣ୍ଡ ଟେକି ଉଠିଥିଲେ । ଶେଷରେ ୧୩ବର୍ଷର ଏହି ବିବାଦ ଅସଦ ଶାସନକୁ ମାଟିରେ ମିଶାଇ ଦେଇଛି । ବିଦ୍ରୋହୀ ଗୋଷ୍ଠୀ କେବଳ ଦମସକସ୍‌ ଉପରେ କବ୍ଜା କରିଛନ୍ତି ତା ନୁହେଁ ବରଂ ସିରିଆବାସୀଙ୍କୁ ଏକ ନୂଆ ଆରମ୍ଭର ସୁଯୋଗ ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.