ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ କୋଲକାତାରେ ପହଞ୍ଚିଛି । ପ୍ରଥମ ମୁକାବିଲା ଜାନୁଆରୀ ୨୨ ଅର୍ଥାତ୍ ବୁଧବାର କୋଲକତାର ଇଡନ୍ ଗାର୍ଡନ୍ସରେ ଖେଳାଯିବ । ଏହି ମୁକାବିଲା ପୂର୍ବରୁ ଦୁଇ ଟିମ୍ ତିନି ପ୍ରାକ୍ଟିସ୍ ସେସନରେ ଭାଗ ନେବେ । ଏହାରି ଭିତରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)କୁ କଡ଼ା ନିର୍ଦ୍ଦେଶ ଦେଇ ସବୁ ଖେଳାଳିଙ୍କୁ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରିବାକୁ ମନା କରିଛି । ସବୁ ଖେଳାଳି ଟିମ୍ ବସରେ ଯାତ୍ରା କରିବେ ବୋଲି ବୋର୍ଡ କହିଛି ।
ଭାରତୀୟ ଟିମ୍ ଲଗାତାର ଖରାପ ପ୍ରଦର୍ଶନ ଉପରେ ବିଚାର କରିବା ପରେ ବିସିସିଆଇ ନିକଟରେ ୧୦ ସୂତ୍ରୀ ନୀତି ଜାରି କରିଥିଲା । ଏହି ନିର୍ଦ୍ଦେଶନାମା ଅନୁସାରେ ଖେଳାଳିଙ୍କୁ ନିର୍ଦ୍ଧାରିତ ପ୍ରାକ୍ଟିସ୍ ସେସନ୍ର ପୂରା ଅବଧି ଟିମ୍ ସହ ରହିବାକୁ ପଡ଼ିବ ଏବଂ ଆୟୋଜନ ସ୍ଥଳ ଯାଏ ଏକାସଙ୍ଗରେ ଟିମ୍ ବସରେ ଯାତ୍ରା କରିବାକୁ ପଡ଼ିବ ।
ବିସିସିଆଇରୁ ମିଳିଥିବା କଡ଼ା ନିର୍ଦ୍ଦେଶ ଉପରେ ବୟାନ ଦେଇ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି ଯେ ଖେଳାଳି ପାଇଁ କୌଣସି ଅଲଗା ବ୍ୟବସ୍ଥା କରାଯାଇ ନାହିଁ । ବେଙ୍ଗଲର ପୂର୍ବତନ କ୍ରିକେଟର ଏବଂ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ କହିଛନ୍ତି, 'ଭାରତୀୟ ଟିମ୍ ପାଇଁ ଗୋଟିଏ ବସ୍ ବ୍ୟବସ୍ଥା କରାଯାଇଛି । କ୍ରିକେଟରଙ୍କ ପାଇଁ କୌଣସି ବ୍ୟକ୍ତିଗତ ଗାଡ଼ିର ବ୍ୟବସ୍ଥା ନାହିଁ । ଆମେ ବିସିସିଆଇର ନିର୍ଦ୍ଦେଶକୁ ପାଳନ କରିବୁ ।'