ଖୋ ଖୋ ବିଶ୍ବକପ୍; ସଂଧ୍ୟାରେ ପୁରୁଷ ଓ ମହିଳା ବର୍ଗରେ ଭାରତ-ନେପାଳ ଫାଇନାଲ୍ ଟକ୍କର

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ,୧୯/୦୧: ଖୋ ଖୋ କ୍ରୀଡ଼ାରେ ଦକ୍ଷିଣ ଏସୀୟ ଦେଶ ମାନଙ୍କର ଦବଦବା । ଚଳିତ ଖୋ ଖୋ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତ ଏବଂ ନେପାଳ । ଉଭୟ ଦେଶର ମହିଳା ଏବଂ ପୁରୁଷ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଅର୍ଥାତ୍ ଆଜି ଦୁଇ ଦେଶ ମଧ୍ୟରେ ଟାଇଟଲ ଟକ୍କର ହେବ । ନେପାଳକୁ ପରାସ୍ତ କରି ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଭାରତୀୟ ଦଳ ବିଶ୍ବ ଚାମ୍ପିଅନ୍ ହେବାର ସୁଯୋଗ ରହିଛି । ଆଜି ସଂଧ୍ୟା ସାଢ଼େ ୫ଟା ପ୍ରଥମେ ଟ୍ରଫି ଅନାବରଣ ହେବ ପରେ ସଂଧ୍ୟା ୬ଟା ବେଳେ ମହିଳା ଖୋ ଖୋ ଟାଇଟଲ ଟକ୍କର ହେବ । ଏହା ପରେ ପ୍ରାୟ ୭.୪୫ ମିନିଟରେ ଭାରତୀୟ ପୁରୁଷ ଦଳ ନେପାଳ ଟିମକୁ ଟକ୍କର ଦେବ । ଉଭୟ ପୁରୁଷ ଏବଂ ମହିଳା ଦଳ ମ୍ୟାଚ ଜିତିଲେ ବିଶ୍ବ ଚାମ୍ପିଅନ ହେବେ ।    

ଶନିବାର ଅନୁଷ୍ଠିତ ମହିଳା ସେମି ଫାଇନାଲ୍‌ରେ ଭାରତ ୬୬-୧୬ ପଏଣ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିରେ ନେପାଳ ୮୯-୧୮ରେ ୟୁଗାଣ୍ଡାକୁ ହରାଇଥିଲା । ସେହିପରି ପୁରୁଷ ବିଭାଗରେ ଭାରତ ୬୨-୪୨ରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଥିବାବେଳେ ନେପାଳ  ୭୨-୨୯ରେ ଇରାନକୁ ମାତ୍ ଦେଇ ଫାଇନାଲ ଖେଳିବାକୁ ଉନ୍ନୀତ ହୋଇଛି । 

ପୁରୁଷ ବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା । ଚତୁର୍ଥ ତଥା ଅନ୍ତିମ ଟର୍ଣ୍ଣରେ ଭାରତ ଅବିଶ୍ୱସନୀୟ ଭାବେ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକାଠୁ ବିଜୟ ଛଡ଼ାଇ ଆଣିଥିଲା । ପ୍ରଥମ ଓ ଦ୍ୱିତୀୟ ଟର୍ଣ୍ଣରେ ଦକ୍ଷିଣ ଆଫ୍ରିକା ଚମତ୍କାର ଖେଳ ପ୍ରଦର୍ଶନ କରି ଆଗୁଆ ରହିଥିଲା । ତୃତୀୟ ଟର୍ଣ୍ଣରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର ଦକ୍ଷିଣ ଆଫ୍ରିକା ୪୨-୨୮ରେ ଆଗୁଆ ରହିଥିଲା । ୧୪ ପଏଣ୍ଟ ପଛରେ ଥିଲା ଭାରତ । ଶେଷ ଟର୍ଣ୍ଣରେ ଭାରତୀୟ ଖେଳାଳି ସବୁ ଶକ୍ତି ଲଗାଇ ଦେଇଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଚ୍‌  ଡିଫେଣ୍ଡରଙ୍କୁ ଆଉଟ୍‌ କରି ଭାରତ ୬ ପଏଣ୍ଟ  ହାତେଇଥିଲା । ସ୍ଥିତି ୩୪-୪୨ରେ ପହଞ୍ଚିଥିଲା ।  ପରବର୍ତ୍ତୀ ୩୩ ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ବ୍ୟାଚ୍‌ ଡିଫେଣ୍ଡରଙ୍କୁ ଆଉଟ୍‌ କରି ଦଳ ଆଉ ୬ପଏଣ୍ଟ  ହାସଲ କରି ମ୍ୟାଚ୍‌କୁ ୪୦-୪୨କୁ ଆଣିଥିଲା ।  ଏହାପରେ ଦଳ କ୍ରମାନ୍ୱୟରେ ପଏଣ୍ଟ ହାସଲ  କରି ୬୨-୪୨ରେ ବିଜୟ ହାସଲ କରିଥିଲା । 

ମହିଳା ଦଳର ସହଜ ବିଜୟ 

ସେହିପରି ଟସ୍‌ ଜିତିବା ପରେ ଭାରତୀୟ ମହିଳା ଦଳ ଡିଫେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ମଳା, ଚୈତ୍ରା ଓ ନାଜିଆ ଡିଫେଣ୍ଡ କରିଥିଲେ । ଚୈତ୍ରା ଦକ୍ଷିଣ ଆଫ୍ରିକା ଖେଳାଳିଙ୍କର ୫ମିନିଟ୍‌ ୨୩ ସେକେଣ୍ଡ  ଅପଚୟ କରି ଭାରତକୁ ୫ପଏଣ୍ଟ ଭେଟି ଦେଇଥିଲେ । ଭାରତୀୟ ଦଳ ପ୍ରଥମ ଟର୍ଣ୍ଣ ଶେଷ ସୁଦ୍ଧା ୧୦-୫ରେ ଆଗୁଆ ରହିଥିଲା । ଏହାପରେ ଦ୍ୱିତୀୟ ଟର୍ଣ୍ଣରେ ଭାରତ ଆଉ ୨୩ ପଏଣ୍ଟ ହାସଲ କରିଥିଲେ । ଦଳ ୩୩-୧୦ରେ ଆଗୁଆ ରହି ବିଜୟ ପାଇଁ ପଥ ପରିଷ୍କାର କରିଥିଲା । ସେହିପରି   ତୃତୀୟ ଟର୍ଣ୍ଣରେ ଭାରତକୁ ମାତ୍ର ୫ ପଏଣ୍ଟ ଓ ଦକ୍ଷିଣ ଆଫ୍ରିକାକୁ ୬ପଏଣ୍ଟ ମିଳିଥିଲା । ଅନ୍ତିମ ଟର୍ଣ୍ଣରେ ଭାରତ ଆଉ ୨୮ ପଏଣ୍ଟ ହାସଲ କରିବା ସହ ମ୍ୟାଚ୍‌କୁ ୬୬-୧୬ରେ ଜିତି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.