ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ, ଭଦ୍ରକରେ ଆତ୍ମହତ୍ୟା କଲା ଅଭିଯୁକ୍ତ; ଛାଡ଼ିଗଲା ସୁଇସାଇଡ୍ ନୋଟ୍

Published By : Prameya-News7 Bureau | September 25, 2024 IST

ଭଦ୍ରକ: ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କାଟି ଫ୍ରିଜରେ ରଖିବା ଘଟଣାରେ ନୂଆ ଟୁଇଷ୍ଟ। ଘଟଣାର ଅଭିଯୁକ୍ତ କୁହାଯାଉଥିବା ମୁକ୍ତିରଞ୍ଜନ ଭଦ୍ରକରେ ଆତ୍ମହତ୍ୟା କରିଛି । ବୁଧବାର କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ଅଭିଯୁକ୍ତ ମୁକ୍ତିରଞ୍ଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ବଡ଼ କଥା ହେଉଛି ମୃତଦେହ ନିକଟରୁ ସୁଇସାଇଡାଲ ନୋଟ ମିଳିଥିବାବେଳେ, ଏଥିରେ ହତ୍ୟାକାଣ୍ଡ ବିଷୟରେ ଉଲ୍ଲେଖଥିବା ଜଣାପଡ଼ିଛି। । ନୋଟରେ ହତ୍ୟାରେ ସମ୍ପୃକ୍ତି ଥିବା ନେଇ ଉଲ୍ଲେଖ ଥିବା ସୂଚନା ମିଳିଛି । କର୍ଣ୍ଣାଟକ ପୋଲିସ ଆସିଲେ ଅଧିକ ତଦନ୍ତ ହେବ ବୋଲି ଧାମନଗର ଏସଡିପିଓଙ୍କ ସୂଚନା ଦେଇଛନ୍ତି। 

ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ହତ୍ୟା ପରେ ୫୯ ଖଣ୍ଡ କରି ଫ୍ରିଜରେ ରଖିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପୋଲିସ ପ୍ରାଥମିକ ତଦନ୍ତରେ ମୁକ୍ତିକାନ୍ତ ବେଙ୍ଗାଲୁରୁ ପୋଲିସର ସନ୍ଦେହ ଘେରକୁ ଆସିଥିଲା। ହେଲେ ଯୁବକ ଜଣକ ଫେରାର ଥିଲା। ବୁଧବାର କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରେ ଯୁବକଙ୍କ ପରିଚୟ ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତି ରଞ୍ଜନ ରାୟ (୩୨) ପୋଲିସ ଜାଣିବାକୁ ପାଇଥିଲା। ସେ ମଙ୍ଗଳବାର ରାତିରେ ବେଙ୍ଗାଲୁରୁରୁ ନିଜ ଘରେ ପହଞ୍ଚିଥିଲେ । ରାତି ୪ ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ । ହେଲେ ସକାଳୁ ତାଙ୍କ ମୃତଦେହ ମିଳିଛି। ଘଟଣା ସ୍ଥଳରୁ ତାଙ୍କ ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ଜବତ କରିବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ ଅବସ୍ଥାରେ ଫ୍ରିଜରୁ ମିଳିଥିଲା। ତାଙ୍କ ଶରୀରକୁ ପ୍ରାୟ ୫୯ ଖଣ୍ଡ କରାଯାଇଥିଲା। ମୃତଦେହ ମିଳିବାର ପ୍ରାୟ ୧୯ ଦିନ ପୂର୍ବରୁ କରାଯାଇଥିବା ପୋଲିସ ତଦନ୍ତରୁ ସାମ୍ନାକୁ ଆସିଥିଲା। ଘଟଣା ଜଣାପଡ଼ିବା ପରେ ବେଙ୍ଗାଲୁରୁ ସମେତ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ବେଙ୍ଗାଲୁରୁ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ଟିମ୍‌ ଗଠନ କରି ତଦନ୍ତକୁ ଆଗକୁ ବଢ଼ାଇଥିଲା। ଏପରିକି ତଦନ୍ତ ପାଇଁ ଓଡ଼ିଶା ଆସିଥିଲା କର୍ଣ୍ଣାଟକ ପୋଲିସ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.