ଦିଲ୍ଲୀରେ ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ଜାଣନ୍ତୁ ସରକାର ବଢାଇଲେ କେତେ?

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୯: ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ) ସରକାର ଜାତୀୟ ରାଜଧାନୀରେ ଶ୍ରମିକକଙ୍କ ନିମ୍ନତମ ମଜୁରୀ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସରକାର ଅକୁଶଳ ଶ୍ରମିକଙ୍କ ନିମନ୍ତେ ମାସିକ ସର୍ବନିମ୍ନ ପାରିଶ୍ରମିକ ୧୮,୦୬୬ କରିଛନ୍ତି। ଏହା ପୂର୍ବରୁ ଜାତୀୟ ରାଜଧାନୀରେ ସର୍ବନିମ୍ନ ମଜୁରି ୧୭,୪୯୪ ଟଙ୍କା ଥିଲା। ଫଳରେ ସର୍ବନିମ୍ନ ମଜୁରୀରେ ୧୮୧ଟଙ୍କା ୧୧ ପଇସା ବୃଦ୍ଧି ହୋଇଛି। ଏହାଠୁ କମ ପାରିଶ୍ରମିକରେ ଶ୍ରମିକଙ୍କୁ ନିଯୁକ୍ତ କରାଯାଇ ପାରିବନି। 

ସରକାରଙ୍କ ନୂଆ ମଜୁରୀ ବୃଦ୍ଧି ନିଷ୍ପତ୍ତି ଅନୁସାରେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ମାସିକ ୧୯,୯୨୯ ଟଙ୍କା ମିଳିବ। ଏବେ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ୧୯,୨୭୯ ଟଙ୍କାଥିଲା। ଅର୍ଥାତ ସର୍ବନିମ୍ନ ମଜୁରୀରେ ୬୫୦ ଟଙ୍କା ବୃଦ୍ଧି ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜାତୀୟ ରାଜଧାନୀରେ ଏବେ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୧,୨୧୫ ଟଙ୍କାରୁ ବଢାଇ ୨୧,୯୧୭ ଟଙ୍କା କରିଛନ୍ତି। ଫଳରେ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକରେ ୭୦୨ ଟଙ୍କା ବୃଦ୍ଧି ହୋଇଛି। 

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଅକୁଶଳ ଶ୍ରମିକଙ୍କ ନିମନ୍ତେ ସର୍ବନିମ୍ନ ମଜୁରୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଅଲଗା ଅଲଗା। ତେବେ ଅକୁଶଳ ଶ୍ରମିକଙ୍କ ନିମନ୍ତେ ଜାତୀୟ ସର୍ବନିମ୍ନ ବେତନ ପାଖାପାଖି ୧୭୮ ଟଙ୍କା ପ୍ରତି ଦିନ ହିସାବରେ ମାସିକ ୫,୩୪୦ ଟଙ୍କା ରହିଛି। ତେବେ ଦିଲ୍ଲୀ ସରକାର ସର୍ବନିମ୍ନ ମଜୁରୀ ହାରକୁ ସମୟ ସମୟରେ ସଂଶୋଧନ କରୁଛନ୍ତି ଓ ବଢାଉଛନ୍ତି। 

ଭାରତରେ ମଜୁରୀ ଅଧିନିୟମ ୧୯୪୮ ଅନୁସାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ହୋଇଥାଏ। ଏହି ଅଧିନିୟମ ଅନୁସାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ଲାଗି ଅଲଗା ଅଲଗା ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିଥାନ୍ତି। ଭାରତରେ କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀ ଓ କେରଳରେ ସର୍ବନିମ୍ନ ମଜୁରୀ ସବୁଠୁ ଅଧିକ। ଦିଲ୍ଲୀରେ ଅକୁଶଳ ଶ୍ରମିକଙ୍କ ଲାଗି ନିମ୍ନତମ ମାସିକ ବେତନ ୧୭,୪୯୪ ଟଙ୍କା ପୂର୍ବରୁ ନିର୍ଦ୍ଧାରିତ ଥିଲା। ଯାହାକୁ ଏବେ ବଢାଇ ଦିଆଯାଇଛି। ତେବେ ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରୀ ଏବେ ଦୈନିକ ୧୭୮ ଟଙ୍କା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.