ଲେବାନନ ଓ ଇସ୍ରାଏଲ ସୀମାରେ ମୂତୟନ ହେଲେ ଇଣ୍ଡିଆନ ଆର୍ମି, ଜାଣନ୍ତୁ ଯୁଦ୍ଧକୁ କାହିଁକି ଗଲେ ୬୦୦ ଭାରତୀୟ ସୈନିକ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୯: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ହିଜବୁଲ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଜାତିସଂଘ ଶାନ୍ତିରକ୍ଷା ବଳ ଭାବେ ଇସ୍ରାଏଲ-ଲେବାନନ ସୀମାରେ ମୁତୟନ ଭାରତୀୟ ସେନା ସ୍ଥିତି ଉପର ପାଖରୁ ନଜର ରଖି ରହିଛନ୍ତି। ନିକଟରେ ହୋଇଥିବା ପେଜର ବିସ୍ଫୋରଣ ହିଜବୁଲ ଓ ଇସ୍ରାଏଲକୁ ଯୁଦ୍ଧ ମୁହଁରେ ଛିଡା କରିଛି। ଏଣୁ ଭାରତୀୟ ସେନା ଶାନ୍ତିରକ୍ଷା ପାଇଁ ନିଜର ଗୁରୁଦାୟିତ୍ୱ ନିର୍ବାହ କରୁଛି। ପାଖାପାଖି ୬୦୦ ଭାରତୀୟ ସୈନିକ ବ୍ଲୁ ଲାଇନରେ ମୁତୟନ ହୋଇଛନ୍ତି। 

ଏହି ବଳ ଜାତି ସଂଘ ଅନ୍ତରୀଣ ବଳ (ୟୁଏନଆଇଏଫଆଇଏଲ)ର ଅଂଶ ବିଶେଷ, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ଶାନ୍ତି ଓ ସ୍ଥିରତା କାୟମ ରଖିବା ଲାଗି ସମର୍ପିତ। ବ୍ଲୁ ଲାଇନରେ ଏହି ସୈନିକଙ୍କ କାମ ଶାନ୍ତି ରକ୍ଷା ଉପରେ କେନ୍ଦ୍ରିତ, ଏମାନେ ସିଧା ସଂଘର୍ଷରେ ସାମିଲ ହେବେ ନାହିଁ। ପ୍ରତିରକ୍ଷା ସୂତ୍ର ଅନୁସାରେ ଭାରତୀୟ ସେନା ସେଠାରେ ତୀକ୍ଷ୍ଣ ନଜର ରଖି ରହିଛି। ବ୍ଲୁ ଲାଇନ ଏକ ଶାନ୍ତିରକ୍ଷା କ୍ଷେତ୍ର ରୂପେ କାର୍ଯ୍ୟ କରୁଛି ଓ ଜାତିସଂଘ ଫୋର୍ସ ସେଠାରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧକୁ ସୀମିତ କରିବାକୁ ଚେଷ୍ଟା କରୁଛି। 

ଯଦିଓ ଭାରତୀୟ ସେନା ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ନୁହନ୍ତି ତେବେ ଅତ୍ୟଧିକ ସମ୍ବେଦନଶୀଳ କ୍ଷେତ୍ରରେ ସ୍ଥିରତା କାୟମ ରଖିବା ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ପ୍ରାଥମିକ ମିସନ ଜାତିସଂଘ କର୍ମଚାରୀ ଓ ଶାନ୍ତିରକ୍ଷା କାର୍ଯ୍ୟକୁ ସୁରକ୍ଷିତ କରିବା ଓ ସୀମାରେ ହିଂସାର ପ୍ରକୋପ କୁ କମ କରିବା। ଇସ୍ରାଏଲ ଓ ହିଜବୁଲ ମଧ୍ୟରେ ସଂଘର୍ଷର ସୂତ୍ରପାତ ସେତେବେଳେ ହେଲା ଯେତେବେଳେ ପେଜର ଏବଂ ୱାକିଟକିରେ ବିସ୍ଫୋରଣ ହେଲା। ଇରାନ ସମର୍ଥିତ ଆତଙ୍କବାଦ ଗୋଷ୍ଠୀ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କଲେ। ଏହା ପରେ ତେଲ ଆଭିବ ଲେବାନନ ଉପରେ ବ୍ୟାପକ ଆକ୍ରମଣ ଘୋଷଣା କଲା। 

ଇସ୍ରାଏଲ ପ୍ରତିରକ୍ଷା ବଳ(ଆଇଡିଏଫ) ଲେବାନନର ଅନେକ ଅଞ୍ଚଳକୁ ଟାର୍ଗେଟ କରିଛି। ଏଥିରେ ହିଜବୁଲର ଗଡ଼ ଓ ଗୋଳାବାରୁଦ ଭଣ୍ଡାରକୁ ଟାର୍ଗେଟ କରାଯାଇଛି। ଆଇଡିଏଫ ଅନୁସାରେ ୩୦୦ରୁ ଅଧିକ ହିଜବୁଲ ଲକ୍ଷକୁ ଟାର୍ଗେଟ କରାଯାଇଛି। ଫଳରେ ସମୂହର ଇସ୍ରାଏଲ ଉପରକୁ ରକେଟ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଏଥିରେ ଭାରତୀୟ ଶାନ୍ତିରକ୍ଷକ ବଳ ଗୋଲାନ ହାଇଟସ୍ ନିକଟରେ ପୂର୍ବାଞ୍ଚଳରେ ମୁତୟନ ଅଛନ୍ତି। ଏହି କ୍ଷେତ୍ର ଉପରେ ହେଉଥିବା ରକେଟ ଓ ଯୁଦ୍ଧ ବିମାନ ଆକ୍ରମଣ ସତ୍ତ୍ୱେ ସମସ୍ତ ଭାରତୀୟ ସେନା ସୁରକ୍ଷିତ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.