ନୂଆଦିଲ୍ଲୀ୨୧/୦୧ : ସମସ୍ତେ ନନ୍-ଭେଜ୍ ଆଇଟମ୍ ପସନ୍ଦ କରିବା ଜରୁରୀ ନୁହେଁ। ଆଜିକାଲି ଭେଜିଟେରିଆନ ବା ନିରାମିଷ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ବିଭିନ୍ନ ସଂସ୍କୃତିର ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ସଂସ୍କୃତିର ନିଜସ୍ୱ ସ୍ୱତନ୍ତ୍ର ଖାଦ୍ୟ ରହିଛି। ଯେଉଁମାନେ କୁହନ୍ତି ଯେ ସେମାନଙ୍କୁ ନିରାମିଷ ଖାଦ୍ୟରେ ଭେରାଇଟି ମିଳେ ନାହିଁ, ତାହେଲେ ସେମାନଙ୍କୁ କହିବାକୁ ଚାହୁଁଛୁ ଯେ, ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠି ନିରାମିଷ ଖାଦ୍ୟ ପାଇଁ ପ୍ରସିଦ୍ଧ। ପାରମ୍ପରିକ ଥାଳିଠାରୁ ଆରମ୍ଭ କରି ଅନ୍ୟ ବିକଳ୍ପ, ଆପଣ ଯଦି ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତେବେ ଭାରତର ଏହି ସ୍ଥାନଗୁଡ଼ିକରେ ଉପଲବ୍ଧ ରହିଛି ସ୍ୱାଦିଷ୍ଟ , ନିରାମିଷ ଖାଦ୍ୟ। ଆସନ୍ତୁ ଜାଣିବା ଭାରତର ସେମିତି ୫ଟି ନିରାମିଷ ସ୍ଥାନ ବିଷୟରେ।
ବାରଣାସୀ, ଉତ୍ତର ପ୍ରଦେଶ- ବାରାଣସୀରେ ନିରାମିଷ ଖାଦ୍ୟ ପାଇବା ବହୁତ ସହଜ। ଏଠାକାର ରାସ୍ତାଘାଟରେ ଆପଣ ସ୍ୱାଦିଷ୍ଟ ନିରାମିଷ ଖାଦ୍ୟ ପାଇ ପାରିବେ। ବନାରସର ସ୍ୱତନ୍ତ୍ର ଖାଦ୍ୟ ହେଉଛି ଆଳୁ ପୁରୀ, କଚୋରି ସବଜି, କ୍ରିମି ଲସି ଏବଂ ଅନେକ ମିଠା।
ଉଦୁପି, କର୍ଣ୍ଣାଟକ- ଯେତେବେଳେ ଦକ୍ଷିଣ ଭାରତୀୟ ଖାଦ୍ୟ କଥା ଆସେ, ପ୍ରଥମେ ଉଡୁପିର ନାଁ ନିଆଯାଏ। ଯଦି ଆପଣ ଦକ୍ଷିଣରେ ନିରାମିଷ ଖାଦ୍ୟ ଖୋଜୁଛନ୍ତି, ତେବେ ଉଦୁପି ଆପଣଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ। ଏହି ସ୍ଥାନଟି ସମଗ୍ର ଦକ୍ଷିଣରେ ନିରାମିଷ ଖାଦ୍ୟ ପାଇଁ ବହୁତ ପ୍ରସିଦ୍ଧ। ଏଠାକାର ଇଡଲି, ଦୋସା, ସାମ୍ବର, ବରା ଏବଂ ନଡ଼ିଆ ଚଟଣିର ସ୍ୱାଦ ଲାଜବାବ। ଆପଣ ଏହାକୁ ଥରେ ଚାଖିଲେ, ଆଉ ଭୁଲି ପାରିବେନି।
ହରିଦ୍ୱାର ଏବଂ ଋଷିକେଶ, ଉତ୍ତରାଖଣ୍ଡ- ହରିଦ୍ୱାର ଏବଂ ଋଷିକେଶ ଧାର୍ମିକ ସ୍ଥଳ ଏବଂ ଏଠାରେ କେବଳ ନିରାମିଷ ଖାଦ୍ୟ ଉପଲବ୍ଧ। ଏଠାକାର ଦୋକାନଗୁଡ଼ିକରେ ଆପଣ ପୁରୀ-ଆଳୁ, ଖସ୍ତା କଚୋରି ଏବଂ ଗରମ ଜଲେବିର ମଜା ନେଇପାରିବେ। ଗଙ୍ଗା ନଦୀ କୂଳରେ ଅବସ୍ଥିତ, ଏହି ସ୍ଥାନର ଖାଦ୍ୟର ବହୁତ ଗୁରୁତ୍ୱ ଅଛି।
ଅହମଦାବାଦ, ଗୁଜରାଟ- ଗୁଜୁରାଟୀ ଖାଦ୍ୟ ହାଲୁକା ମସଲା ଏବଂ ମିଠାରେ ପରିପୂର୍ଣ୍ଣ। ଏହି ସ୍ଥାନଟି ଶାକାହାରୀମାନଙ୍କ ପାଇଁ ବହୁତ ସ୍ୱତନ୍ତ୍ର କାରଣ ଗୁଜରାଟରେ ଜୈନଙ୍କ ସଂଖ୍ୟା ବହୁତ ଅଧିକ। ଖଣ୍ଡଭି, ଫଫଡା, ଢୋକଲା, ଥପଲା ଏବଂ ଡାଲ-ଖିଚଡି ମିଶ୍ରିତ ଗୁଜୁରାଟୀ ଥାଳି ହେଉଛି ଗୁଜରାଟର ସ୍ୱତନ୍ତ୍ର ପରିଚୟ। ଅହମଦାବାଦର ପ୍ରତ୍ୟେକ ରାସ୍ତା ଏବଂ ବଜାରରେ ଆପଣଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ମିଳିବ।
ଜୟପୁର, ରାଜସ୍ଥାନ- ଜୟପୁରର ରାଜକୀୟ ନିରାମିଷ ଖାଦ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାକାର ବାଜରା ରୁଟି, ଡାଲ ବାଟି ଚୁରମା ଏବଂ ଗଟ୍ଟା କି ସବଜିରେ ରାଜକୀୟ ସ୍ୱାଦ ରହିଥାଏ। ଏହା ବ୍ୟତୀତ, ମିର୍ଚି ବରା, ଘେଭର ଏବଂ ମାଲପୁଆ ହେଉଛି ଜୟପୁରର ପାରମ୍ପରିକ ଖାଦ୍ୟ। ଜୟପୁରରେ ଉପଲବ୍ଧ ରାଜସ୍ଥାନୀ ଥାଳିର ସ୍ୱାଦ ଚମତ୍କାର।