ଭଦ୍ରକ ହେବ ମିନି ସୁରଟ, ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ମଞ୍ଜୁର ହେଲା ୪ ହଜାର ୩୦୦ କୋଟି

Published By : Prameya-News7 Bureau | December 23, 2024 IST

News7

ଭଦ୍ରକ: ଭଦ୍ରକରେ ହେବ ମିନି ସୁରଟ । ମଞ୍ଜୁର ହେଲା ୪ ହଜାର ୩୦୦ କୋଟି ରୁ ଅଧିକ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ଛକ ଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ ବିକାଶର ସୂର୍ଯ୍ୟୋଦୟ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ଏ ବାବଦରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗତ ୨୦୧୭ରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ  ଏଠାରେ ଏକ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଥିଲେ ମଧ୍ୟ   ପୂର୍ବ ସରକାରଙ୍କ ବେଳେ ଏହା ବିଳମ୍ବିତ ହୋଇଥିଲା । ତେବେ ବର୍ତ୍ତମାନ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି  । ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ଘୋଷଣା କରିବା ପରେ ଜିଲ୍ଲା ତଥା ରାଜ୍ୟବାସୀଙ୍କ ଦୀର୍ଘ ଦିନ ସ୍ୱପ୍ନ ସଫଳ ହେବାକୁ ଯାଉଛି ।

ଆଇଓସିଏଲ୍ ଓ ଏମସିପିଆଇ ଲିମିଟେଡ ମିଳିତ ଭାବେ ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ପ୍ରତିଷ୍ଠା କରିବେ ଟେକ୍ସଟାଇଲ ପାର୍କ । ୪ ହଜାର ୩ ଶହ କୋଟି ଟଙ୍କା ବ୍ୟୟରେ ଖୁବ୍‌ଶୀଘ୍ର ଟେକ୍ସଟାଇଲ୍ ପାର୍କ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ହେଲେ  ରାଜ୍ୟର ଯୁବକ, ଯୁବତୀ ନିଜର ପରିବାର ପୋକ୍ଷଣ ପାଇଁ ବାହାରକୁ ନ ଯାଇ ଏଠାରେ ନିଯୁକ୍ତି ସୁଯୋଗ ପାଇବେ। ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହିତ ଅନେକ ଆନୁସଙ୍ଗିକ କଳକାରଖାନା ମଧ୍ୟ ପ୍ରତିଷ୍ଠା ହୋଇପାରିବ ଯାହାଫଳରେ ଅନେକ ଶିକ୍ଷିତ  ଯୁବକ ,ଯୁବତୀଙ୍କ ପାଇ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଯାହାକୁ ନେଇ ବେଶ ଖୁସି ଅଛନ୍ତି ସ୍ଥାନୀୟ ଲୋକେ । 

Also read: ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା, ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତେବେ ଏହି ଟେକ୍ସଟାଇଲ୍ ପାର୍କରୁ ପ୍ରତ୍ୟେକ ଦିନ ୯୦୦ ଟନ ପଲିମର ଉତ୍ପାଦନ ହେବ । ପାରାଦୀପ ରିଫାଇନାରି ରୁ ବାହାରୁଥିବା ଉପ ଉତ୍ପାଦକୁ କଞ୍ଚାମାଲ ଭାବେ ଏଠାରେ ବ୍ୟବହୃତ ହେବ । ଉତ୍ପାଦନ ପରେ ଧାମରା ପୋର୍ଟରୁ ଦେଶ ତଥା ଦେଶ ବାହାରକୁ ରପ୍ତାନି ହେବ। ଯାହା କି ପରିବହନ ଅର୍ଥ କୁ କମ କରିବ । ଏହା ସହ ଆଖ ପାଖ ଅଞ୍ଚଳରେ ମଧ୍ୟ ଅନେକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଠି ହେବ । 

ଏହି ଟେକ୍ସଟାଇଲ ପାର୍କ ପାଇଁ ବହୁ ଦିନ ହେବ ଜମି ଅଧିଗ୍ରହଣ ହୋଇଥିଲା । ପ୍ରଥମେ ଇଡକୋ ଜମି ନେଇ ସେଠାରେ ଧରଣୀ ଶୂଗାର ନାମକ ଚିନି କାରଖାନା ପ୍ରତିଷ୍ଠା ହେବା କଥା । କିନ୍ତୁ ଏହି ଚିନି କମ୍ପାନୀ ଏଠାରୁ ମୁହଁ ଫେରିବା ପରେ ପ୍ରାୟ ୨୦୦ ଏକର ରୁ ଅଧିକ ଜମି ସେହି ଭଳି ପଡ଼ି ରହିଥିଲା । ୨୦୧୭ରେ ରାଜ୍ୟ ସରକାର ଓ ଆଇଓସିଏଲ ମଧ୍ୟ ରେ କାରଖାନା ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷର ହୋଇଥିଲେ ମଧ୍ୟ କିଛି କାମ ଆଗକୁ ବଢ଼ି ନଥିଲା । ଶେଷ ରେ ଏବେ ପୁଣି ଥରେ ଟେକ୍ସଟାଆଲ ପାର୍କ ପାଇଁ ଅର୍ଥ ମଞ୍ଜୁର ପରେ ଭଦ୍ରକ ବାସୀଙ୍କ ମନରେ ଆଶା ସଂଚାର ହୋଇଛି ।  ଆଞ୍ଚଳିକ ଲୋକ ଏବଂ ଯୁବକ ଯୁବତୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି ଏଥିପାଇଁ ସେମାନେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି । 

ସେହିଭଳି ଭଦ୍ରକ ସର୍କିଟ ହାଉସ ରେ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜ ଦତ୍ତ ଏବଂ ଅନ୍ୟାନ୍ୟ ବରିଷ୍ଟ ପଦାଧିକାରୀଙ୍କ ଶହ ଏନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।ଭଦ୍ରକରେ ଏକ ବୟନ ପାର୍କ ସ୍ଥାପନ କୁ ନେଇ ସ୍ଥାନୀୟ ଅଧିବାସୀ ମଧ୍ୟ ରେ ବେଶ୍ ଉତ୍ସାହ ଦେଖା ଦେଇଛି । କିନ୍ତୁ ପୂର୍ବ ପରି ଘୋଷଣା କେବଳ ଘୋଷଣା ରେ ନ ରହି କାର୍ଯ୍ୟକାରୀ ହେଲେ ସଭିଏଁ ଉପକୃତ ହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.