ରାସ୍ତାରେ ପଡ଼ିଥିଲା କୁଢ଼ କୁଢ଼ ଶବ, ତାସ ଭଳି ଟଳି ପୁଡ଼ୁଥିଲେ ଲୋକେ; ଭୋପାଳ ଗ୍ୟାସ ଟ୍ରାଜେଡିକୁ ପୂରିଲା ୪୦ ବର୍ଷ

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ: ୧୯୮୪ ମସିହା ଡିସେମ୍ବର ମାସ ୨ ତାରିଖ। ସବୁ କିଛି ଠିକ୍ ଠାକ୍‌ ଚାଲିଥିଲା। ଦିନ ସାରାର ଧାଁ ଦଉଡ଼ ସାରି ସମସ୍ତେ ଶୋଇପଡ଼ିଥିଲେ ଗଭୀର ନିଦରେ। ହେଲେ ସେମାନେ କ’ଣ ଜାଣିଥିଲେ ଏହି ରାତି ହେବ ତାଙ୍କ ପାଇଁ ଶେଷ ରାତି। ଏହି ରାତିରେ ଘଟିଥିଲା ଏଭଳି ଏକ ଅଘଟଣ ଯାହା ନେଇଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ। କିଏ ବାପାକୁ ହରାଇ ଥିଲା ତ କିଏ ମାଆକୁ। କିଏ ପୁଅକୁ ହରାଇଥିଲା ତ’ କିଏ ନିଜ ସ୍ୱାମୀକୁ। ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ହୋଇଯାଇଥିଲା ସର୍ବସ୍ବାନ୍ତ। ଏ କାହାଣୀ ହେଉଛି ଭୋପାଳ ଗ୍ୟାସ ଟ୍ରାଜେଡିର। ଭୋପାଳ ଇତିହାସର ସେହି କଳାଦିନ ଯାହାକୁ ମନେ ପକାଇଲେ ଆଜିବି ଶିହରୀ ଉଠେ ଅନେକଙ୍କ ଛାତି।ଆଉ ସେଇ କାଳ ରାତିକୁ ପୂରିଛି ୪୦ ବର୍ଷ। 

କେମିତି ଘଟିଥିଲା ଏତେ ବଡ଼ ଦୁର୍ଘଟଣା

୧୯୮୪ ମସିହା ଡିସେମ୍ବର ୨ ତାରିଖ ମଧ୍ୟରାତ୍ରି। ଭେପାଳରେ ଥିବା ଆମେରିକା ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିର ଟ୍ୟାଙ୍କ ନମ୍ବର ୬୧୦ରୁ ବାହାରିଥିଲା ମିଥାଇଲ ଆଇସୋସାଇନେଟ ନାମକ ବିଷାକ୍ତ ଗ୍ୟାସ । ଆଉ ଏହି ଗ୍ୟାସ ମାତ୍ର ୩ ମିନିଟରେ  ସହରବାସୀଙ୍କୁ ଶୁଆଇ ଦେଇଥିଲା ଚିର ନିଦ୍ରାରେ। ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡର ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ଗ୍ୟାସରେ ନିରବୀ ଯାଇଥିଲା ଅଧିକାଂଶ ଭୋପାଳବାସୀଙ୍କ ନିଃଶ୍ୱାସ । ସକାଳର ସୂର୍ଯ୍ୟ ଦେଖିବା ଆଗରୁ ଶୋଇଯାଇଥିଲେ ଚିର ନିଦ୍ରାରେ । 


ରିପୋର୍ଟ ଅନୁସାରେ, ସେହି ରାତିରେ ହିଁ ଗ୍ୟାସ ଯୋଗୁ ପ୍ରାୟ ୩୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବଡ଼ କଥା ହେଲା ବିଷାକ୍ତ ଗ୍ୟାସ ନିର୍ଗତ ହେବା ସମୟରେ ଆଲାର୍ମ ସିଷ୍ଟମ ମଧ୍ୟ କାମ କରିନଥିଲା। ଫଳରେ ପୂରା ସହରକୁ ବ୍ୟାପିଥିଲା ଏହି ବିଷାକ୍ତ ଗ୍ୟାସ । ଆଉ ଧୀରେ ଧୀରେ ପୂରା ସହରରେ ବ୍ୟାପିଯାଇଥିଲା ବିଷାକ୍ତ ଗ୍ୟାସ। କେହି କିଛି କରିବା ପୂର୍ବରୁ ଜଣକ ପରେ ଜଣେ ଟଳିପଡ଼ିଥିଲେ। ହସ୍ପିଟାଲରେ ଜମିଥିଲା ଲୋକଙ୍କ ଭିଡ଼ । ରାସ୍ତାକଡରେ ପଡ଼ି ରହିଥିଲା କୁଢକୁଢ ଶବ । ଗ୍ୟାସ୍ ଟ୍ରାଜେଡିରେ କେତେ ଜଣ ମୃତ୍ୟୁ ବରଣ କରିଥିଲେ ତାହାର ପ୍ରକୃତ ଉତ୍ତର କାହା ପାଖରେ ନଥିଲା।

ତେବେ ଏହି ଘଟଣାରେ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୫ ଲକ୍ଷ ୨୦ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିଲେ । ଗ୍ୟାସର ପ୍ରାଦୁର୍ଭାବ ଏତେ ଭୟାବହ ଥିଲା ଯେ, ପୀଡିତଙ୍କ ପରିବାରର ୨ୟ ଓ ୩ୟ ପିଢ଼ି ମଧ୍ୟ ଦିବ୍ୟାଙ୍ଗ ହୋଇ ଜନ୍ମ ନେଉଛନ୍ତି । ଉଭୟ ଗଭୀର ଶାରୀରିକ ଓ ମାନସିକ ଭାବେ ବିକାରଗ୍ରସ୍ତ ହୋଇ କଟୁଛି ଏମାନଙ୍କ ଜୀବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.