୨୬ ରାଫେଲ ଯୁଦ୍ଧ ବିମାନ କିଣିବ ଭାରତ, ୩ ବୁଡ଼ାଜାହାଜ ପାଇଁ ହେବ ଚୁକ୍ତି

Published By : Prameya-News7 Bureau | December 02, 2024 IST

News7

ନୂଆଦିଲ୍ଲୀ: ଭାରତୀୟ ନୌସେନାର ବଢ଼ିବ ଶକ୍ତି। ଡ଼ରିବ ଶତ୍ରୁ ଦେଶ। ଖୁବ ଶୀଘ୍ର ନୌସେନା ପାଇଁ ୨୬ ରାଫେଲ ଯୁଦ୍ଧ ବିମାନ କିଣିବ ଭାରତ। ଏହା ସହିତ, ତିନୋଟି ସ୍କର୍ପିନ୍ ବୁଡ଼ାଜାହାଜ ପାଇଁ ଏକ ଚୁକ୍ତି ମଧ୍ୟ ହେବାକୁ ଯାଉଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ମାସରେ ଅର୍ଥାତ୍ ଜାନୁଆରୀରେ ୨୬ଟି ରାଫାଲ୍ ଯୁଦ୍ଧ ବିମାନ ଏବଂ ତିନୋଟି ସ୍କର୍ପିନ୍ ବୁଡ଼ାଜାହାଜ କ୍ରୟ ପାଇଁ ପୃଥକ ଚୁକ୍ତିନାମା ସ୍ୱାକ୍ଷରିତ ହେବ।

ଡିସେମ୍ବର ୪ରେ ପାଳନ କରାଯାଉଥିବା ଭାରତୀୟ ନୌସେନା ଦିବସ ପୂର୍ବରୁ ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ କହିଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନର ନୌସେନାର କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ସେ ଆଶା ପ୍ରକଟ କରିଛନ୍ତି ଆସନ୍ତା ମାସରେ ରାଫେଲ ଯୁଦ୍ଧ ବିମାନ ଏବଂ ବୁଡ଼ାଜାହାଜ ପାଇଁ ଚୁକ୍ତି ଚୂଡାନ୍ତ ହେବ ଏବଂ ଏଥିରେ ଦସ୍ତଖତ କରାଯିବ।

ନୌସେନା ମୁଖ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କହିଛନ୍ତି ଯେ- କେନ୍ଦ୍ର ସରକାର ମଧ୍ୟ ଦୁଇଟି ପରମାଣୁ ଚାଳିତ ବୁଡ଼ାଜାହାଜ ପାଇଁ ଅନୁମୋଦନ ଦେଇଛନ୍ତି। ଏହିପରି ସମୁଦାୟ ୬ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ପରମାଣୁ ଶକ୍ତି ଉପରେ କାର୍ଯ୍ୟ କରୁଥିବା ପ୍ରଥମ ବୁଡ଼ାଜାହାଜ ୨୦୩୬-୩୭ ସୁଦ୍ଧା ଏବଂ ଦ୍ୱିତୀୟଟି ୨୦୩୮-୩୯ ସୁଦ୍ଧା ପ୍ରସ୍ତୁତ ହେବ।

ଗତ ବର୍ଷ ନିଜେ ଫ୍ରାନ୍ସରୁ ରାଫାଲ-ଏମ ଜେଟ କ୍ରୟକୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା। ଏହି ବିମାନଗୁଡ଼ିକ ମୁଖ୍ୟତଃ ଭାରତର ସ୍ୱଦେଶୀ ବିମାନ ପରିବହନକାରୀ INS Vikrant ଉପରେ ନିୟୋଜିତ ହେବ। ନୌସେନା ମୁଖ୍ୟ ଆଡମିରାଲ କହିଛନ୍ତି ଯେ ଏହା ଦୁଇ ଦେଶର ସରକାରଙ୍କ ମଧ୍ୟରେ ଏକ ଚୁକ୍ତି, ତେଣୁ ଅଧିକ ସମୟ ଲାଗିବ ନାହିଁ। ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି ପାଇଁ ବର୍ତ୍ତମାନ ୬୨ ଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.