ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳି ପାରିବେନି ବୁମରା

Published By : Prameya-News7 Bureau | March 14, 2025 IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫କୁ ଆଉ ଦିନ କେଇଟା ବାକି ରହିଛି। ଏହା ପୂର୍ବରୁ ୫ ଥରର ଟାଇଟଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଜୋରଦାର ଝଟକା। ଦଳର ତାରକା ବୋଲର ଯଶପ୍ରୀତ ବୁମରା ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳିବେ ନାହିଁ। ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ କିଛି ସମୟ ଲାଗିବ। ବୁମରା ବର୍ତ୍ତମାନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସେଣ୍ଟର ଅଫ ଏକ୍ସିଲେନ୍ସଦରେ ପୁନଃଥଇଥାନ ଦେଇ ଗତି କରୁଛନ୍ତି। ସେ ଏପ୍ରିଲ ଆରମ୍ଭରେ ମୁମ୍ଵାଇ ଇଣ୍ଡିଆନ୍ସରେ ଯୋଗ ଦେଇ ପାରନ୍ତି।

ଇଏସପିଏନକ୍ରିକଇମ୍ଫୋ ଅନୁଯାୟୀ, ଯଶପ୍ରୀତ ବୁମରା ଆଇପିଏଲ୍ ୨୦୨୫ର କିଛି ମ୍ୟାଚ୍‌ରେ ଦଳରୁ ବାହାରେ ରହି ପାରନ୍ତି। ଜାନୁଆରୀ ମାସରେ ପିଠିରେ ଲାଗିଥିବା ଆଘାତ ସମସ୍ୟାରୁ ବୁମରା ବର୍ତ୍ତମାନ ମୁକୁଳୁଛନ୍ତି। ତେଣୁ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଦରକାର। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚରେ ୩ଟି ମ୍ୟାଚ୍ ବୁମରାଙ୍କ ବିନା ମଇଦାନକୁ ଓହ୍ଲାଇବ। 

Also read: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକଙ୍କ ନାଁ ଘୋଷଣା; କେଏଲ ରାହୁଲ ନୁହେଁ ଏହି ଖେଳାଳି ନେବେ ନେତୃତ୍ବ

ମୁମ୍ବାଇ ଆଗାମୀ ସିଜିନର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ  ବିପକ୍ଷରେ ଖେଳିବ। ଏହା ପରେ ମାର୍ଚ୍ଚ ୨୬ରେ ଗୁଜରାଟ ଟାଇଟନ୍ସ ଓ ମାର୍ଚ୍ଚ ୩୧ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଆଉ ଏହି ତିନୋଟି ମ୍ୟାଚ୍‌ରେ ଦଳରୁ ବାହାରେ ରହିବେ ବୁମରା। ଏପ୍ରିଲ ଆରମ୍ଭରେ ଯଦି ଡାକ୍ତରୀ ଦଳ ତାଙ୍କୁ ଫିଟ୍ ଘୋଷିତ କରନ୍ତି ତେବେ ସେ ଏପ୍ରିଲ ୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇ ପାରନ୍ତି। 

ବୁମରାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ପିଠିରେ ଆଘାତ ଲାଗିଥିଲା। ଏହା ପରଠୁ ସେ ଦଳରୁ ବାହାରେ ଅଛନ୍ତି। ଆହତ କାରଣରୁ ସେ ଚାମ୍ପିଅନ୍ସ ଟ୍ରଫି ବି ଖେଳି ପାରି ନ ଥିଲେ। ୩୧ ବର୍ଷୀୟ ବୁମରାଙ୍କୁ ଆଇସିସି କ୍ରିକେଟର ଅଫ ଦ ଇୟର, ଆଇସିସି ପୁରୁଷ ଟେଷ୍ଟ ପ୍ଲେୟାର ଅଫ୍ ଦ ଇୟରରେ ନାମିତ କରାଯାଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.