ମେଡିକାଲ କାଉନସିଲଙ୍କ ବଡ଼ ନିଷ୍ପତ୍ତି, ଆରଜି କର ପୂର୍ବ ପ୍ରିନ୍ସପାଲ ଡା. ସନ୍ଦୀପ ଘୋଷଙ୍କ ଡାକ୍ତରୀ ରେଜିଷ୍ଟ୍ରେସନ ରଦ୍ଦ

Published By : Prameya-News7 Bureau | September 20, 2024 IST

କୋଲକାତା ୨୦।୯: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡା. ସନ୍ଦୀପ ଘୋଷଙ୍କ ନାମ ମେଡିକାଲ ରେଜିଷ୍ଟ୍ରେସନରୁ ହଟାଇ ଦିଆଯାଇଛି। ଏଣୁ ସେ ଏବେ ଆଉ ନିଜକୁ ଡାକ୍ତର କହିପାରିବେନି କି କୌଣସି ରୋଗୀଙ୍କୁ ପ୍ରେସ୍କ୍ରିପସନ ଲେଖି ପାରିବେନି। ଏହି ନିଷ୍ପତ୍ତି ପଶ୍ଚିମବଙ୍ଗ ମେଡିକାଲ କାଉନସିଲ ନେଇଛନ୍ତି, ଯାହାର ଅଧିସୂଚନା ଶୁକ୍ରବାର ଜାରି ହୋଇଛି। ଘୋଷଙ୍କୁ ଆରଜି କର ହସ୍ପିଟାଲରେ ହୋଇଥିବା ହତ୍ୟା ଓ ଦୁଷ୍କର୍ମ ମାମଲାର ପ୍ରମାଣ ନଷ୍ଟ କରିବା ତଥା ଭ୍ରଷ୍ଟାଚାର ମାମଲାରେ ସିବିଆଇ ହାଜତରେ ଅଛନ୍ତି। 

ଆରଜି କର ମାମଲାରେ ସିବିଆଇ ଏବେ ଆଶିଷ ନାମକ ଜନୈକ ବ୍ୟକ୍ତିଙ୍କ ସନ୍ଧାନ କରୁଛି। ଘଟଣା ଦିନ ଆଶିଷ ସଲ୍ଟ ଲେକର ଏକ ହୋଟେଲରେ ଅବସ୍ଥାନ କରୁଥିଲା। ସିବିଆଇ ଗୁରୁବାର ହୋଟେଲ ଅଧିକାରୀଙ୍କୁ କାଗଜପତ୍ର ସହ ଡକାଇ ପଚରା ଉଚରା କରିଛି। ପ୍ରାରମ୍ଭିକ ଯାଞ୍ଚରୁ ଏହା ଜଣାପଡିଛି ଯେ ଏହି ମାମଲାରେ ଆଶିଷ ସାମିଲ ଥାଇ ପାରେ। ତେବେ ସିବିଆଇ ସିପିଏମ ନେତା ମିନାକ୍ଷୀ ମୁଖାର୍ଜୀଙ୍କୁ ମଧ୍ୟ ପଚରା ଉଚରା କରିଛି। 

ମିନାକ୍ଷୀ ମୁଖାର୍ଜୀ ସିପିଏମ ଯୁବ ସଙ୍ଗଠନ ଡିୱାଇଏଫଆଇର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି। ସିବିଆଇ ମିନାକ୍ଷୀଙ୍କୁ ସିଜିଓ କମ୍ପ୍ଲେକ୍ସରେ ପାଖାପାଖି ୨ ଘଣ୍ଟା ପଚରା ଉଚରା କରିଛି। ମିନାକ୍ଷୀ ଅଗଷ୍ଟ ୯ ତାରିଖ ଦିନ ହସ୍ପିଟାଲ ଯାଇ ପୀଡିତ ଡାକ୍ତରଙ୍କ ପିତାମାତାଙ୍କୁ ଭେଟିଥିଲେ। ଏହି ମାମଲାରେ କିଛି ଫଟୋ ଏବେ ସାମ୍ନାକୁ ଆସିଛି, ଯଉଁଥିରେ ସେ ପୋଲିସ ଗାଡ଼ି ଅଟକାଉଥିବାର ଦେଖାଯାଇଛନ୍ତି। ଏହା ପୂର୍ବରୁ କୋଲକାତା ପୋଲିସ ତାଙ୍କୁ ନୋଟିସ୍ ପଠାଇ ତଲବ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.