ସଂଖ୍ୟାଲଘୁ ମନ୍ତ୍ରଣାଳୟର ଛାତ୍ରବୃତ୍ତି ଯୋଜନାରେ ଦୁର୍ନୀତି: ୫୩% ସଂସ୍ଥା ନକଲି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସ୍ମୃତି ଇରାନୀ

Published By : Prameya-News7 Bureau | August 19, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦ୍ୱାରିକା ଏକ୍ସପ୍ରେସୱେର ଦୁର୍ନୀତି ଖବର ଆସିବା ପରେ ଏବେ ସଂଖ୍ୟାଲଘୁ ଛାତ୍ରବୃତ୍ତି ଯୋଜନାରେ ଦୁର୍ନୀତିର ଖୁଲାସା ହୋଇଛି। ଅନେକ ରାଜ୍ୟରେ ନକଲି ହିତାଧିକାରୀ, ନକଲି ଅନୁଷ୍ଠାନ ଏବଂ ନକଲି ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ଖବର ସାମ୍ନାକୁ ଆସିଛି। ଘଟଣାର ଖୁଲାସା ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ମଦରାସା ସହିତ ୧୫୭୨ ସଂଖ୍ୟାଲଘୁ ସଂସ୍ଥାନର ଯାଞ୍ଚ କରିବା ପରେ ସେଥିରୁ ୮୩୦ଟି ସଂସ୍ଥା ନକଲି ଓ ଚାଲୁ ନାହିଁ ବୋଲି ଜଣାପଡ଼ିଛି। ଯେଉଁଥିରେ ୧୪୪.୮୩ କୋଟି ଟଙ୍କାର ଦୁର୍ନୀତି ହୋଇଛି।   

ଗତ ୫ ବର୍ଷରେ ୧୪୪.୮୩ କୋଟିର ଦୁର୍ନୀତି

ଖବର ଅନୁସାରେ, ଜୁଲାଇ ୧୦ ତାରିଖରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଘଟଣାକୁ ନେଇ ସିବିଆଇ ନିକଟରେ ଅଭିଯୋଗ କରିଥିଲା। ୩୪ ଟି ରାଜ୍ୟର ୧୦୦ ଟି ଜିଲ୍ଲାରେ ମନ୍ତ୍ରଣାଳୟ ଆଭ୍ୟନ୍ତରୀଣ ତଦନ୍ତ କରିଛି। ଏଥିରେ ୨୧ ରାଜ୍ୟର ୧୫୭୨ ଟି ସଂସ୍ଥା ମଧ୍ୟରୁ ୮୩୦ ଟି ନକଲି ବୋଲି ଜଣାପଡିଛି। ଏଥିରେ ପାଖାପାଖି ୫୩ ପ୍ରତିଶତ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଗତ ୫ ବର୍ଷରେ କେବଳ ୮୩୦ ଟି ସଂସ୍ଥାରେ ୧୪୪.୮୩ କୋଟିର ଦୁର୍ନୀତି ହୋଇଛି। ତେବେ ବାକି ସଂସ୍ଥାନଗୁଡ଼ିକର ତଦନ୍ତ ଜାରି ରହିଥିବା ବେଳେ ମାମଲାର ତଦନ୍ତ ଭାର ଏବେ ସିବିଆଇକୁ ଦିଆଯାଇଛି।

ପଢନ୍ତୁ-Pandora Papers Leak Case: ଖଣି ମାଲିକଙ୍କ ପୁଅର ୩୬ କୋଟି ଟଙ୍କାର ସମ୍ପତ୍ତି ଜବତ

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏଭଳି ଅନେକ ସ୍ତରରେ ସଂସ୍ଥାଗତ ଦୁର୍ନୀତି ହୋଇଛି। ନକଲି ସଂସ୍ଥାଗୁଡିକ ନଥାଇ କିମ୍ବା ଅକାମୀ ଭାବରେ ଥାଇ ବି ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ୍ ଏବଂ ୟୁନିଫାଏଡ୍ ଜିଲ୍ଲା ସୂଚନା ବ୍ୟବସ୍ଥା (UDISE)ରେ ପଞ୍ଜୀକୃତ ହୋଇଛନ୍ତି। ତେଣୁ ଚିହ୍ନଟ ହୋଇଥିବା ଏହି ୮୩୦ ଟି ସଂସ୍ଥାର ନକଲି ଖାତାକୁ ସିଜ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଛତିଶଗଡର ୬୨ ଟି ଅନୁଷ୍ଠାନର ଯାଞ୍ଚ କରାଯାଇଥିଲା। ଏଠାରେ ସବୁ ନକଲି ସଂସ୍ଥା ତଥା ଅକାମୀ ଥିଲେ ବୋଲି ଜଣାପଡ଼ିଥିଲା। ସେହିପରି ରାଜସ୍ଥାନର ୧୨୮ ଟି ସଂସ୍ଥାନ ମଧ୍ୟରୁ ୯୯ ଟି ନକଲି ଓ ଅଣ କାର୍ଯ୍ୟକ୍ଷମ ବାହାରିଥିଲା। ଆସାମ ୬୮ ପ୍ରତିଶତ ନକଲି, କର୍ଣ୍ଣାଟକ ୬୪ ପ୍ରତିଶତ, ୟୁପିରେ ୪୪ ପ୍ରତିଶତ, ଓ ପଶ୍ଚିମବଙ୍ଗରେ ୩୯ ପ୍ରତିଶତ ନକଲି ସଂସ୍ଥା ଚିହ୍ନଟ ହୋଇଥିଲା।

ଏହି ଘଟଣାରେ ନୋଡାଲ୍ ଅଧିକାରୀଙ୍କ ଉପରେ ବି ଖଣ୍ଡା ଝୁଲୁଛି। ସେମାନେ କିଭଳି ସତ୍ୟତା ଯାଞ୍ଚ ନ କରି ଓକେ ରିପୋର୍ଟ ଦେଇଛନ୍ତି, କେତେ ରାଜ୍ୟରେ ଏଭଳି ବର୍ଷ ବର୍ଷ ଧରି ନୋଡାଲ ଅଧିକାରୀମାନେ ଦୁର୍ନୀତିକୁ ପ୍ରସୟ ଦେଇଛନ୍ତି ତାହା ବି ସିବିଆଇ ତଦନ୍ତ କରିବ। ଏଥିସହିତ ବ୍ୟାଙ୍କଗୁଡ଼ିକ ମଧ୍ୟ କେମିତି ହିତାଧିକାରୀଙ୍କ ପାଇଁ ନକଲି ଖାତା ଖୋଲିବାକୁ ଅନୁମତି ଦେଲେ ତାର କେୱାଇସି ଯାଞ୍ଚ ହେଉଛି ବୋଲି ମନ୍ତ୍ରଣାଳୟ ସମ୍ପର୍କିତ ଅଧିକାରୀ ସୂଚନା ଦେଇଛନ୍ତି।

ପଢନ୍ତୁ- ଏଥର କନ୍ଦାଇ ପାରିବନି ପିଆଜ ଦର, ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇଲେ ସରକାର  

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ତଦନ୍ତରେ ଅନେକ କଥା ସାମ୍ନାକୁ ଆସିଛି-

ମାଲାପୁରମ୍, କେରଳ: ଏକ ବ୍ୟାଙ୍କ ଶାଖା ୬୬,୦୦୦ ଛାତ୍ରବୃତ୍ତି ପ୍ରଦାନ କରିଛି। ଏହା ଛାତ୍ରବୃତ୍ତି ମାନଦଣ୍ଜ ଅନ୍ତର୍ଗତ ପଞ୍ଜିକରଣ ଲାଭାର୍ଥୀଙ୍କ ସଂଖ୍ୟା ଠାରୁ ଅଧିକ।

ଜାମ୍ମୁ-କାଶ୍ମୀର ଅନନ୍ତନାଗ: ଏକ କଲେଜରେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୦୦୦ ଥିବାବେଳେ ଦାବି ହୋଇଛି ମୋଟ ୭,୦୦୦ ଛାତ୍ରବୃତ୍ତି। ଏହିଭଳି ଆସାମ ଓ ପଞ୍ଜାବରେ ମଧ୍ୟ ଦୁର୍ନୀତି ହୋଇଛି। ଏବେ ଏସବୁର ଖୋଳତାଡ଼ ସିବିଆଇ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.