ଭୁବନେଶ୍ବର ୨୪।୧୨: ୨୦୨୪ ସାଧାରଣ ନିର୍ବାଚନରେ EVM ଜାଲିଆତି ପ୍ରସଙ୍ଗ ପୁଣି ଉଠାଇଲା ବିଜେଡି । ସୋମବାର ବିଜେଡି ସାଂସଦ ମାନେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ପ୍ରେସମିଟ୍ କରିଥିଲେ । ମଙ୍ଗଳବାର ପୁଣି ଭୁବନେଶ୍ବରରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଯାଇଛି । ବିଜେଡି ନେତା ଅରୁଣ ସାହୁ ଓ ଶର୍ମିଷ୍ଠା ସେଠୀ ପ୍ରେସମିଟ୍ରେ କହିଛନ୍ତି, ଦଳ ପକ୍ଷରୁ ୩୮ ହଜାର ବୁଥ୍ରେ ଜିଲ୍ଲପାଳଙ୍କୁ ଡାଟା ମଗାଯାଇଥିଲା । କିନ୍ତୁ ସେମାନେ ଡାଟା ଦେଲେନାହିଁ । ନିର୍ବାଚନ କମିଶନ ସାର୍ଟିଫାଏଡ଼୍ କପି ମାଗିଲେ କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେଡିର ଅଭିଯୋଗ, ନିର୍ବାଚନ ବେଳେ ସନ୍ଧ୍ୟା ୫ଟାରେ କ୍ଲୋଜ୍ ଅଫ୍ ପୋଲ୍ ହୁଏ ଏବଂ ରାତି ୧୧ଟା ୪୫ରେ ଏଣ୍ଡ ଅଫ ପୋଲ ହୁଏ । କିନ୍ତୁ ଏଥର କ୍ଲୋଜ ଅଫ୍ ପୋଲ୍ ପାଇଁ ଦୁଇ ଦିନ କାହିଁକି ସମୟ ନେଲେ ନିର୍ବାଚନ କମିଶନ ବୋଲି ବିଜେଡି ଅଭିଯୋଗ କରିଛି । ଆମ ସାଂସଦ ମାନେ ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଲେ ସ୍ୱଚ୍ଛତା, ବୈଧତା ଓ ନିରପେକ୍ଷତା ପାଇଁ କିନ୍ତୁ ବିଜେପି କାହିଁକି ଚିହିଁକି ଉଠିଲା ବୋଲି ବିଜେଡି କହିଛି । ବିଜେଡି ଅଭିଯୋଗ ବାଢିଛି, ଓଡ଼ିଶାର ଲୋକ କହୁଥିଲେ ନବୀନ ପୁଣି ସରକାର କରିବେ । ଫଳାଫଳ ଆସିବା ପରେ ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନ ଏମିତି କେମିତି ହେଲା ବୋଲି କହିଛି ବିଜେଡି । ଏହା ଓଡ଼ିଶାବାସୀଙ୍କ ମନରେ ଦ୍ବନ୍ଦ୍ବ ଓ ସନ୍ଦେହ ସୃଷ୍ଟି କରିଛି । ଏହାର ସ୍ପଷ୍ଟୀକରଣ ପାଇଁ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟିଛି ବୋଲି ଅରୁଣ ସାହୁ କହିଛନ୍ତି ।
ସେପଟେ ବିଜେଡି ଅଭିଯୋଗର କଡା କାଉଣ୍ଟର ରଖିଛି ବିଜେପି । ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି, ସବୁକ୍ରିୟାର ପ୍ରତିକ୍ରିୟା ଥାଏ । ଏଭଳି ଅଭିଯୋଗର ନିର୍ବାଚନ କମିଶନ ଫୋରମ୍ ନୁହେଁ । ଯଦି ଅନିୟମିତତା ହୋଇଛି ତାହେଲେ କୋର୍ଟକୁ ଯାଆନ୍ତୁ ବୋଲି ବିଜେପି କହିଛି । ନିର୍ବାଚନ ବେଳେ ବିଜେଡି ଶାସନ ଥିଲା । ଯଦି ହେରଫେର ହୋଇଥିବ ତାଙ୍କର ଶାସନ ପ୍ରଶାସନ କରିଥିବେ ଆମର ସେଥିରେ କ’ଣ ଥିଲା ଯେ ଆମେ ହେରଫେର କରିପାରିବୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ । ୬ ମାସ ପରେ ବୋଧେ ହଠାତ ବିଜେଡିର ମନେ ପଡୁଛି ଯେ ସେମାନେ ହାରିଗଲେ ବୋଲି । କ’ଣ ଜୁନ୍ ୪ରେ ଜାଣି ପାରିଲେନି କି ଏକଥା । ସେତେବେଳେ ଫର୍ମ ୨୧ - ସିରେ ଦସ୍ତଖତ କରିଦେଲେ କାହିଁକି ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି । ଇଭିଏମ୍ ପ୍ରସଙ୍ଗରେ ଦୁଇ ଦଳ ଏବେ ମୁହାଁମୁହିଁ ହୋଇଛନ୍ତି ।
You Can Read: