ଭୁବନେଶ୍ୱର: ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବାକୁ ଚେଷ୍ଟା କରିଛି ବିଜେଡି। ନିମାପଡ଼ାରୁ ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିବା ସମୀର ରଞ୍ଜନ ଦାଶ ଓ ଦେବଗଡ଼ ଟିକେଟ କଟିବା ପରେ ଖୁସି ନଥିବା ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ଦଳ ନୂଆ ଦାୟିତ୍ୱ ଦେଇଛି। ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ଦିଆଯାଇଥିବା ବେଳେ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜେଡି ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।
ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ଦଳ ତାଙ୍କୁ ଦେବଗଡ଼ରୁ ଟିକେଟ ଦେଇଥିଲା। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଦଳ ତାଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ୍ ଦେଇଥିଲା। ଏହାପରେ ଅରୁନ୍ଧତୀ ଦେବୀ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡିରେ ନାରୀଙ୍କୁ ସମ୍ମାନ ନାହିଁ ବୋଲି ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ରେ ଫେସ୍ବୁକ୍ରେ ପୋଷ୍ଟ କରାଯାଇଥିଲା।
ସେହିପରି ସମୀର ଦାଶ ମଧ୍ୟ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ବାରମ୍ବାର କର୍ମୀ ଓ ସମର୍ଥକଙ୍କୁ ନେଇ ସମୀର ତାଙ୍କ ବଳ ପ୍ରଦର୍ଶନ କରିଥିଲେ। ସୀମାର ଦଳ ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ଦଳ ଏବେ ଏହି ଦୁଇ ନେତାଙ୍କୁ ନୂଆ ଦିୟତ୍ୱ ନେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି।