ୱାକଫ୍ ବିଲ୍ ଉପରେ ଜେପିସିକୁ ମିଳିଲା ୧.୨୫ କୋଟି ଫିଡ୍‌ବ୍ୟାକ୍‌ ! ଷଡ଼ଯନ୍ତ୍ର ଆଶଂକାରେ ତଦନ୍ତ ଦାବି କଲେ ବିଜେପି ସାଂସଦ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ବିଧେୟକ ଉପରେ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)କୁ ପ୍ରାୟ ୧.୨୫ କୋଟି ଫିଡ୍‌ବ୍ୟାକ୍ ମିଳିଛି । ଏବେ ଏହା ପଛରେ ବିଦେଶୀ ଶକ୍ତିଙ୍କ ଷଡ଼ଯନ୍ତ୍ର ଥିବା ବିଜେପି ଆଶଂକା କରୁଛି । ଝାଡ଼ଖଣ୍ଡର ଗୋଡ୍ଡାରୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ବିଦେଶୀ ସଂସ୍ଥା ଏବଂ କଟ୍ଟରପନ୍ଥୀ ସଂଗଠନର ସମ୍ଭାବିତ ପ୍ରଭାବ ଥିବା ଆଶଂକା କରିଛନ୍ତି । ଏହି ଫିଡ୍‌ବ୍ୟାକ୍ କେଉଁଠାରୁ ଆସିଛି ତାହା ଜାଣିବା ପାଇଁ ବିଜେପି ସାଂସଦ ଗୃହ ମନ୍ତ୍ରଣାଳୟ ନେତୃତ୍ୱରେ ଏକ ବ୍ୟାପକ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି । କେନ୍ଦ୍ରର ମୋଦୀ ସରକାର ୱାକଫ୍ ଆଇନରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ଗତ ଅଧିବେଶନରେ ଲୋକସଭାରେ ସଂଶୋଧନ ବିଧେୟକ ଆଗତ କରିଥିଲେ । ବିରୋଧୀ ଏହି ବିଧେୟକକୁ ଜେପିସିକୁ ପଠାଇବା ପାଇଁ ଦାବି କରିଥିଲେ ଏବଂ ଏବେ ଏହି ୱାକଫ୍ ସଂଶୋଧନ ବିଲ୍ ଜେପିସି ନିକଟରେ ରହିଛି ।

ନିଶିକାନ୍ତ ଦୁବେ ଜେପିସି ସଦସ୍ୟଙ୍କ ମଧ୍ୟରେ ସାମିଲ ଅଛନ୍ତି । ସେ ଜେପିସି ଅଧ୍ୟକ୍ଷ ଜଗଦମ୍ୱିକା ପାଲଙ୍କୁ ଏକ ଚିଠି ଲେଖି ମିଳିଥିବା ଫିଡ୍‌ବ୍ୟାକ୍‌ ସଂଖ୍ୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଭିତରୁ ସ୍ୱାଭାବିକ ଭାବେ ଏତେ ସଂଖ୍ୟାରେ ମତାମତ ଆସିପାରିବ ନାହିଁ । ଅନେକ ମତାମତ ଲେଖା ଏବଂ ଭାଷା ମେଳ ଖାଉଛି, ଯେଉଁଥିରୁ ଷଡ଼ଯନ୍ତ୍ରର ଗନ୍ଧ ଆସୁଛି । ଦୁବେ କହିଛନ୍ତି, 'ସବୁଠୁ ବଡ଼ ପ୍ରସଙ୍ଗ ଏହା ଯେ ଏଥିରୁ କେତେ ମତାମତ ଭାରତ ଭିତରୁ ଏବଂ କେତେ ବିଦେଶରୁ ଆସିଛି ।' 

ବିଜେପି ସାଂସଦ ଏଥିରେ ବିଶେଷ ଭାବେ ଜାକିର ନାଇକ ପରି ବ୍ୟକ୍ତି ଏବଂ ଜମାତ-ଏ-ଇସ୍ଲାମୀ ପରି ସଂଗଠନ ସହ ପାକିସ୍ତାନର ଆଇଏସଆଇ ଏବଂ ଚୀନ ସମେତ କିଛି ବିଦେଶୀ ଏଜେନ୍ସିଙ୍କ ନାଁ ଲେଖିଛନ୍ତି, ଯେଉଁମାନେ କେବଳ ଭାରତରେ ଅସ୍ଥିରତା ପାଇଁ ଲାଗିଛନ୍ତି । ଦୁବେ ଜୋର ଦେଇ କହିଛନ୍ତି, 'ଏହି ଫିଡବ୍ୟାକ୍ କେଉଁଠୁ ଆସିଛି, ସତର୍କତା ସହ ତଦନ୍ତ ହେବା ଦରକାର । ଆମେ ବିଦେଶୀ ଶକ୍ତିଙ୍କ ସମ୍ଭାବିତ ଏଜେଣ୍ଡା ଉପରେ ଆଧାରିକ ଇନପୁଟ୍ ଜରିଆରେ ଜେପିସିକୁ ପ୍ରଭାବିତ କରିବା ପାଇଁ ଅନୁମତି ଦେଇପାରିବା ନାହିଁ ।'

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏଭଳି ସମ୍ଭାବନାକୁ ଦୋହରାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏତେ ସଂଖ୍ୟାରେ ମିଳିଥିବା ମତାମତ ସ୍ୱାଭାବିକ ସ୍ଥିତିକୁ ଦର୍ଶାଉ ନାହିଁ । ସେ କହିଛନ୍ତି ଯେ ପୂର୍ବେ ୧୦୦୦ ଫିଡ୍‌ବ୍ୟାକ୍‌ ମିଳିତ ବହୁ ଅଧିକ ବୋଲି ଧରାଯାଉଥିଲା । ରିଜିଜୁ ପ୍ରକ୍ରିୟାରେ ପାରଦର୍ଶିତା ଉପରେ ଜୋର ଦେଇ କହିଛନ୍ତି, 'ଜେପିସିକୁ କୋଟିଏରୁ ଅଧିକ ସଂଖ୍ୟାରେ ଫିଡ୍‌ବ୍ୟାକ୍‌ ମିଳିବ ବୋଲି କେହି ମଧ୍ୟ ଭାବି ନଥିଲେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.