ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବୟାନ୍ରେ ତାତିଲା ବିଜେପି। ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଜେପି ନେତା ନିଶିକାନ୍ତ ଦୁବେ।
ଲୋକସଭାରେ ରାହୁଲ ଚୀନକୁ ନେଇ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ମେକ୍ ଆନ୍ ଇଣ୍ଡିଆ ପଦକ୍ଷେପର ବିଫଳତା ଯୋଗୁ ଚୀନ୍ ଆଜି ଭାରତ ଭୂମିରେ ତା’ ଉପସ୍ଥିତି ଜାହିର କରୁଛି। ରାହୁଲଙ୍କ ଏହି ମନ୍ତବ୍ୟ ପରେ ବିଜେପି ନେତାମାନେ ରାଗି ଯାଇଥିଲେ।
ଏନେଇ ଦୁବେ କହିଛନ୍ତି “ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କେବଳ ଯେ ଐତିହାସିକ ଏବଂ ବାସ୍ତବ ତଥ୍ୟକୁ ବିକୃତ କରିଛନ୍ତି, ତାହା ନୁହେଁ, ସେ ଆମ ଦେଶକୁ ଉପହାସ କରିବା ଏବଂ ଆମ ଗଣତନ୍ତ୍ରର ମର୍ଯ୍ୟାଦାକୁ ହ୍ରାସ କରିବାର ପ୍ରୟାସ କରିଛନ୍ତି।”
ରାଷ୍ଟ୍ରପତିଙ୍କ ଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ଗାନ୍ଧୀ ଭାରତ ତୁଳନାରେ ଚୀନର ବିକାଶର ଗତିକୁ ଦେଖାଇବାକୁ ଚେଷ୍ଟା କରିଥିଲେ। ମୋଦୀ ସରକାରଙ୍କ ମେକ୍ ଇନ ଇଣ୍ଡିଆର ବିଫଳତା ଗଣାଇଥିଲେ। ଏନେଇ ରାହୁଲ କହିଥିଲେ ଯେ ମେନୁଫେକ୍ଚିରଂ କାମ ଚୀନ ହାତକୁ ଦିଆଯାଇଛି। ଏକ ମୋବାଇଲ୍କୁ ଦେଖାଇ ରାହୁଲ କହିଥିଲେ ଯେ ଇଏ ମେଡ୍ଇନ ଇଣ୍ଡିଆ ନୁହେଁ, ବରଂ ଆସେମ୍ବଲ୍ଡ ଇନ୍ ଇଣ୍ଡିଆ ମୋବାଇଲ୍ ବୋଲି ରାହୁଲ କହିଥିଲେ।
ସେ ଆହୁରି କହିଥିଲେ ଯେ ସଂଘର୍ଷ ସମୟରେ ଭାରତ ଚୀନ ନିର୍ମିତି ସାମଗ୍ରୀ ଉପରେ ନିର୍ଭର ରହୁଛି। ମେକ୍ ଇନ୍ ଇଣ୍ଡିଆ ଫେଲ୍ ମାରିବାରୁ ଚୀନ ଭାରତ ଭିତରେ ତା’ ଉପସ୍ଥିତି ଜାହିର କଲାଣି। ଚୀନ ବିଶ୍ୱ ମେନୁଫେକ୍ଚରିଂର ନେୃତୃତ୍ୱ ନେଉଛି। ଭାରତ ଏବେ ବି ଡ୍ରାଗନ ଠାରୁ ଦଶନ୍ଧୀ ପଛରେ ରହିଛି ବୋଲି ରାହୁଲ ଗାନ୍ଧୀ କହିଥିଲେ।
ସେହିପରି ଭାରତ-ଚୀନ ସୀମା ବିବାଦକୁ ନେଇ ରାହୁଲ କହିଥିଲେ ଯେ ବେଜିଂ ବର୍ତ୍ତମାନ "୪,୦୦୦ ବର୍ଗ କିଲୋମିଟରରୁ ଅଧିକ" ଭାରତୀୟ ଭୂଭାଗ କବ୍ଜା କରିଛି। ହେଲେ ସରକାର କହୁଛନ୍ତି ଆମେ କିଛି ଭୂମି ହରାଇ ନାହୁଁ। ଏହା ଗୋଳମାଳିଓଆ ପରିସ୍ଥିତି ସୃଷ୍ଟି କରୁଛି। ଏମିତିକି ଭାରତୀୟ ସେନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ଖଣ୍ଡନ କରି କହିଛି ଚୀନ ସେନା ଭାରତ ଉପରେ ଆକ୍ରମଣ କରିଛି।
କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀ ସଂସଦରେ ଆମେରିକାକୁ ନେଇ ମଧ୍ୟ ଯେଉଁ ବୟାନ ଦେଇଛନ୍ତି, ତାହା ମଧ୍ୟ ଝଡ଼ ସୃଷ୍ଟି କରିଛି। ରାହୁଲ କହିଛନ୍ତି ଯେ ଜାନୁଆରୀ ୨୦ ତାରିଖରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଏସ୍ ଜୟଶଙ୍କର ଆମେରିକା ଗସ୍ତ କରିଥିଲେ। ସେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥଗ୍ରହଣ ଉତ୍ସବକୁ ଡାକିବାକୁ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ। ରାହୁଲଙ୍କ ଏହି ଅଭିଯୋଗ ପରେ ବିଜେପି ଚିହିଁକି ଉଠିଛି।
ରାହୁଲଙ୍କ କଟାକ୍ଷ ଏତିକିରେ ସରି ନଥିଲା। ନିକଟରେ ଯାଇଥିବା ମହାରାଷ୍ଟ୍ର ନିର୍ବାଚନକୁ ନେଇ ମଧ୍ୟ ରାହୁଲ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। କହିଥିଲେ ଯେ ଆମକୁ ଏହାର ଡାଟା ଦରକାର। କାରଣ ଆମେ ଦେଖିବାକୁ ଚାହୁଁଛୁ କେଉଁ କେଉଁ ସ୍ଥାନରୁ ଭୋଟରମାନେ ବିଜେପି ସହ ଯୋଡ଼ି ହୋଇଛନ୍ତି। କାରଣ ହଠାତ୍ ପାଖାପାଖି ୭୦ ଲକ୍ଷ ଭୋଟର କିଭଳି ବିଜେପି ସହ ଯୋଡ଼ି ହେଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।