ବ୍ଲାକମେଲିଂରୁ ପ୍ରେମିକା ଆତ୍ମହତ୍ୟା, ପ୍ରେମିକକୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଧରିଲା ପୋଲିସ

Published By : Prameya-News7 Bureau | October 20, 2024 IST

ଭୁବନେଶ୍ଵର: ପ୍ରେମ ସମ୍ପର୍କର ସୁଯୋଗ ନେଇ ଯୁବତୀଙ୍କ ଅଜାଣତରେ ତାଙ୍କର କିଛି ଗୁପ୍ତ ଫଟୋ ତଥା ଭିଡିଓ ନିଜ ମୋବାଇଲ ଫୋନରେ ରଖି ବ୍ଲାକମେଲ୍ କରୁଥିଲା ପ୍ରେମିକ। ପରେ ବିବାହର ପ୍ରତିଶ୍ରୁତି ଦେଇ ଚାକିରି କରାଇ ଦେବା ନାଁରେ ଟଙ୍କା ଦାବି କରୁଥିଲା ପ୍ରେମିକ। ଶେଷରେ ନିର୍ଯାତନା ସହି ନ ପାରି ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତକ ରଶ୍ମିତା ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋରତାଲର ବାସିନ୍ଦା। ନୟାପଲ୍ଲୀ ଥାନା ପୋଲିସ ମୃତକ ବାପାଙ୍କ ଅଭିଯୋଗକୁ ଭିତ୍ତିରେ ମାମଲାର ତଦନ୍ତ କରିବା ସହିତ  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ହେଉଛି ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ଥାନା ଅନ୍ତର୍ଗତ ସଡେଇପୁର ଗାଁର ଅଜିତ ଦାସ(୨୪)।ତାଙ୍କ ନିକଟରୁ ପୋଲିସ ଗୋଟିଏ ଫୋନ ଜବତ କରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଯୁବତୀ ଏବଂ ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ଅଭିଯୁକ୍ତ ଏହି ପ୍ରେମ ସମ୍ପର୍କର ସୁଯୋଗ ନେଇ ଯୁବତୀଙ୍କ ଅଜାଣତରେ ତାଙ୍କର କିଛି ଗୁପ୍ତ ଫଟୋ ତଥା ଭିଡିଓ ନିଜ ମୋବାଇଲ ଫୋନରେ ରଖି ଥିଲେ । ପରେ ସେ ତାଙ୍କୁ ବିବାହର ପ୍ରତିଶୁତି ଦେବା ସହିତ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଚାକିରି କରାଇଦେବା ଉଦ୍ଦେଶ୍ୟରେ ନେଇଥିଲେ । ପୁନଶ୍ଚ ଗତ ତା.୧୬.୧୦.୨୦୨୪ ରିଖ ଦିନ ଅଭିଯୁକ୍ତ ତାଙ୍କୁ ଅଧିକ ୭୦,୦୦୦ ଟଙ୍କା ଚାକିରି କରାଇଦେବା ଉଦ୍ଦେଶ୍ୟରେ ମାଗିଥିଲେ । ଯୁବତୀ ଜଣକ ଆଉ ଅଧିକ ଟଙ୍କା ଦେବା ଲାଗି ମନା କରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କର ଫଟୋ ଓ ଭିଡ଼ିଓ ସବୁକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଦେବାର ଧମକ ଦେବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପୀଡ଼ିତା ଜଣକ ଅଭିଯୁକ୍ତଙ୍କ ଏତାଦୃଶ ବ୍ୟବହାରରେ ମାନସିକ ଭାରସାମ୍ୟ ହାରିବା ସହିତ ଆତ୍ମହତ୍ୟା କରିଥିଲେ ।   

ଏହି ଘଟଣାକୁ କେନ୍ଦ୍ର କରି ମୃତକ ପିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ଗିରଫ କରିଥିବା ବେଳେ ଏକ ମୋବାଇଲ ଫୋନ ଜବତ କରିଛି। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।  

ଖବର ଅନୁଯାୟୀ, ଯୁବତୀ ଜଣଙ୍କ ଦେବରାୟ କଲେଜ ନିକଟରେ ଏକ ଭଡ଼ା ଘରେ ରହୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ନୂଆପଲ୍ଲୀ ଥାନା  ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ   ପଠାଇଛି । ପୋଲିସ ୬୦/୨୪ରେ ଏକ   ଅପମୃତ୍ୟୁ ମାମଲା ରୁଜୁ କରିଛି। ରଶ୍ମିତାଙ୍କ ଘର ଜଗତସିଂହପୁର କର୍ତ୍ତୋଲ ଗାଁରେ । ସେ ୬ ମାସ ତଳେ ଚାକିରି ସନ୍ଧାନରେ ରାଜଧାନୀକୁ ଆସିଥିଲେ । ଦେବରାୟ କଲେଜ ନିକଟରେ ଏକ ଘରେ ଭଡ଼ାସୂତ୍ରରେ ରହୁଥିଲେ । କିଛି ଦିନ ତଳେ ସେ ଏକ ଘରୋଇ ସଂସ୍ଥାରେ ଚାକିରି ପାଇଥିଲେ । 

ଉକ୍ତ ସଂସ୍ଥାରେ ସପ୍ତାହେ ଧରି ତାଙ୍କର ତାଲିମ୍‌ ଚାଲିଥିଲା । ଚାକିରି ଖବର ଶୁଣି ତାଙ୍କ ପରିବାର ଲୋକ ଖୁସି ଥିଲେ । ଗତକାଲି ସନ୍ଧ୍ୟାରେ ସେ ରୁମ୍‌କୁ ଭିତରପଟୁ କିଳି ଦେଇଥିଲେ । ରଶ୍ମିତାଙ୍କ ରୁମ୍‌ ପାଖରେ ରହୁଥିବା ଅନ୍ୟଜଣେ ଯୁବତୀ ରାତି ୧୧ଟା ବେଳେ ତାଙ୍କୁ ବାରମ୍ବାର ଡାକିଥିଲା । କିନ୍ତୁ ରଶ୍ମିତା କବାଟ ଖୋଲି ନଥିଲେ । ରାତି ୨ଟା  ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ  ଭାଙ୍ଗିଥିଲା । ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା ।  ଶନିବାର ସକାଳେ ତାଙ୍କ ପରିବାର ଲୋକ ଆସିବା  ପରେ ମୃତଦେହକୁ ଖୋଲାଯାଇ କ୍ୟାପିଟାଲ  ହସ୍ପିଟାଲ ନିଆଯାଇଥିଲା ।  

ରଶ୍ମିତାଙ୍କ ପରିବାର ଲୋକଙ୍କ କହିବା   ମୁତାବକ, ଅଜିତ ଦାସ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୪ ବର୍ଷ ଧରି ପ୍ରେମ ଚାଲିଥିଲା । ଅଜିତ ବେଙ୍ଗାଲୁରୁରେ ଚାକିରି କରୁଛନ୍ତି । ଅଧିକାଂଶ ସମୟରେ ସେ ନାନା ବାହାନାରେ ରଶ୍ମିତାଙ୍କୁ ହଜାର ହଜାର ଟଙ୍କା ମାଗୁଥିଲା । ରଶ୍ମିତାଙ୍କ ନୂଆ ଚାକିରିରେ ଖୁସି ନଥିଲା । ବରଂ ବେଙ୍ଗାଲୁରୁରେ ଭଲ ଜାଗାରେ ଚାକିରି  କରାଇବା ଲୋଭ ଦେଖାଇଥିଲା । ଏଥିପାଇଁ  ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା । ରଶ୍ମିତାଙ୍କ ପରିବାର ଲୋକ ପୋଷ୍ଟାଲରେ ସଞ୍ଚିଥିବା  ୭୦ ହଜାର ଟଙ୍କା ଅଜିତକୁ ଦେଇଥିଲେ ।  ତଥାପି ବାରମ୍ବାର ବାକି ଟଙ୍କା ମାଗୁଥିଲା। ନହେଲେ, ଫଟୋ ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲା । ରଶ୍ମିତା ଏଥିପାଇଁ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.