ଅର୍ଶଦୀପ-ବରୁଣଙ୍କ ଶାଣିତ ବୋଲିଂ, ବାଂଲାଦେଶ ୧୨୭ ରନରେ ଅଲଆଉଟ୍

Published By : Prameya-News7 Bureau | October 06, 2024 IST

aajtak

ଗ୍ବାଲିୟର: ଗ୍ଵାଲିୟରରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ବୋଲର। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୨୭ ରନରେ ଅଲଆଉଟ୍ ହୋଇଛି। ଦଳ ପାଇଁ ମେହଦି ହସନ ମିରାଜ ୩୫ ରନ ଓ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୨୭ ରନ କରିଛନ୍ତି। ଅନ୍ୟ ବ୍ୟାଟର ନିରାଶ କରିଛନ୍ତି। ଭାରତ ସାମ୍ନାରେ ୧୨୮ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂ ପ୍ରତ୍ୟେକ ତିନୋଟି ଲେଖାଏଁ ସଫଳତା ପାଇଛନ୍ତି। ଟସ୍ ଜିତି ପ୍ରଥମେ ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନିରାଶଜନକ ଥିଲା। ଦୁଇ ଓପନର ପରଭେଜ ହୁସେନ ଇମୋନ(୮ ରନ) ଓ ଲିଟନ ଦାସ(୪ ରନ)ଙ୍କୁ ଅର୍ଶଦୀପ ସିଂ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା ବାଂଲାଦେଶ। ଟୋହିଦ ହୃଦୟ ୧୨ ରନ କରିଥିଲେ। ମେହମୁଦୁଲ୍ଲା(୧) ଶସ୍ତାରେ ଆଉଟ୍ ହୋଇଥିଲେ। ଅଧିନାୟକ ସାଣ୍ଟୋ ୨୫ ବଲରୁ ୨୭ ରନ କରି ପାଭିଲିୟନ ଫେରିଥିଲେ। ତସ୍କିନ ଅହମ୍ମଦ ୧୨ ରନ କରିଥିଲେ। ନିମ୍ନ ଅର୍ଡରରେ ମେହଦି ହସନ ମିରାଜ ୩୫ ରନର ଉଲ୍ଲେଖନୀୟ ଇନିଂସ ଖେଳିବାରୁ ବାଂଲାଦେଶ ୧୨୭ ରନ ସ୍କୋର କରି ପାରିଛି। 

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ମାତ୍ର ୧୪ ରନ ଦେଇ ୩ଟି ସଫଳତା ପାଇଥିଲେ। ବରୁଣ ଚକ୍ରବର୍ତ୍ତୀ ୩୧ ରନ ବିନିମୟରେ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଯାଦବ ଓ ଓ୍ଵାଶିଂଟନ ସୁନ୍ଦର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.