ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌; ଅପରାହ୍ଣରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

Published By : Prameya-News7 Bureau | October 06, 2024 IST

ମୁମ୍ବାଇ,୦୬/୧୦: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରବିବାର ଏକ ଦମଦାର ମ୍ୟାଚ୍ ଦେଖିବାକୁ ମିଳିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ।  ଅପରାହ୍ଣ ସାଢ଼େ ୩ଟାରେ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୧ ରନ୍‌ରେ  ହରାଇଥିଲା । ଅନ୍ୟପଟେ ମାତ୍ର ଭାରତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ୫୮ ରନ୍‌ରେ ପରାଜିତ ହୋଇଛି । ତେଣୁ ହର୍ମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ପାଇଁ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।  

ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲା ଭାରି ରହିବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି ।  ଏଥିରୁ ଭାରତ ୫ଟି ମ୍ୟାଚ୍‌ ଜିତିଛି । ଶେଷ ଥର ପାଇଁ ୨୦୧୬ ସଂସ୍କରଣରେ ପାକିସ୍ତାନ ଶେଷ ଥର ପାଇଁ ଭାରତକୁ ହରାଇଥିଲା । ମୋଟ୍‌ ଉପରେ ଦେଖିବାକୁ  ଗଲେ ଉଭୟ ଦଳ ମଧ୍ୟରେ ମୋଟ୍‌ ୧୫ଟି  ମ୍ୟାଚ୍‌ ଖେଳାଯାଇଛି । ଭାରତ ଏଥିରୁ ୧୨ଟି  ମ୍ୟାଚ୍‌ ଜିତିଛି ।  

ଭାରତକୁ ମ୍ୟାଚ୍‌ ଜିତିବାକୁ ହେଲେ ପ୍ରଥମେ ବ୍ୟାଟିଂ ତ୍ରୁଟି ସୁଧାରିବାକୁ ହେବ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସବୁ ବ୍ୟାଟର ଫେଲ୍ ମାରିଥିଲେ । ବିଶେଷ କରି ୨ଷ୍ଟାର୍‌ ବ୍ୟାଟର ସ୍ମୃତି ମନ୍ଧନା ଓ ହର୍ମନପ୍ରୀତ ଦାୟିତ୍ୱ ମୁଣ୍ଡାଇବା ଜରୁରି । ବ୍ୟାଟିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ହର୍ମନପ୍ରୀତଙ୍କୁ ୪ନଂରେ ଖେଳାଇ ଜେମିମା ରୋଡ୍ରିଗ୍ସଙ୍କୁ ୩ନଂ ସ୍ଥାନକୁ ଫେରାଇ ଆଣିଲେ ବ୍ୟାଟିଂ ବିଭାଗ ସୁଦୃଢ ହୋଇପାରିବ। 

ପାକିସ୍ତାନ ସ୍ପିନର ସାଦିଆ ଇକବାଲ ଭାରତ ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ସେ ଚଳିତ ବର୍ଷ ୧୫ଟି  ଟି-ଟ୍ୱେଣ୍ଟି ଖେଳି ୨୪ଟି ୱିକେଟ୍‌ ନେଇ ସାରିଛନ୍ତି । ଗତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ  ମଧ୍ୟ ସେ ୩ଟି ୱିକେଟ୍‌ ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.