୧୪ ବର୍ଷ ପରେ ଗ୍ଵାଲିୟରରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ, ଗତ ଥର ସଚିନ କରିଥିଲେ ବିଶ୍ଵ ରେକର୍ଡ

Published By : Prameya-News7 Bureau | October 06, 2024 IST

ଗ୍ଵାଲିୟର: ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି ଗ୍ଵାଲିୟରରେ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଦୀର୍ଘ ୧୪ ବର୍ଷ ପରେ ଭାରତୀୟ ଦଳ ଏହି ସହରରେ  ମ୍ୟାଚ୍ ଖେଳିବାକୁ ଯାଉଛି। ୨୦୧୦ରେ ଭାରତୀୟ ଦଳ ଶେଷ ଥର ଗ୍ଵାଲିୟରରେ ଯେବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା, ସେହି ସମୟରେ ସଚିନ ତେନ୍ଦୁଲକର ବିଶ୍ଵ ରେକର୍ଡ କରିଥିଲେ।

ଭାରତୀୟ ଦଳ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲା। ସେହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ମହାନ ବ୍ୟାଟର ତେନ୍ଦୁଲକର କ୍ରିକେଟ ଇତିହାସରେ ପ୍ରଥମ ଦ୍ଵିଶତକ ହାସଲ କରି ଇତିହାସ ରଚିଥିଲେ। ସେ ଉକ୍ତ ମ୍ୟାଚ୍‌ରେ ୧୪୭ ବଲ୍‌ରୁ ୨୦୦ ରନ କରିଥିଲେ। ଏଥିରେ ୨୫ ଚୌକା ଓ ୩ ଛକା ସାମିଲ। 

ସଚିନଙ୍କ ଏହି ଇନିଂସ ଦମରେ ଭାରତୀୟ ଦଳ ୫୦ ଓଭରରେ ୩ ଓ୍ଵିକେଟ୍ ବିନିମୟରେ ୪୦୧ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୪୮ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ୟାଚ୍ ଗ୍ଵାଲିୟରର କ୍ୟାପଟେନ୍ ରୂପ ସିଂ ଷ୍ଟାଡିୟମରେ ଖେଳା ଯାଇଥିଲା। ଏବେ ଦୀର୍ଘ ୧୪ ବର୍ଷ ପରେ ଭାରତ ଗ୍ଵାଲିୟରର ନ୍ୟୁ ମାଧବରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳିବ। 

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଅର୍ଶଦୀପ ସିଂ,  ହର୍ଷିତ ରାଣା, ମୟଙ୍କ ଯାଦବ। 

ଟି-୨୦ ସିରିଜ୍ ପାଇଁ ବାଂଲାଦେଶ ଦଳ

ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତଞ୍ଜି ହସନ ତମିମ, ପରଭେଜ ହୁସେନ ଇମୋନ, ତୋହିଡ ହୃଦୟ, ମେହମୁଦୁଲ୍ଲା, ଲିଟନ ଦାସ, ଜାକିର ଅଲ୍ଲୀ, ମେହଦି ହସନ ମିରାଜ, ମେହନ୍ଦି ହସନ, ରିଶାଦ ହୁସେନ, ମୁସ୍ତାଫିଜୁର ରେହମାନ, ତସ୍କିନ ଅହମ୍ମଦ, ଶୋରିଫୁଲ ଇସ୍ଲାମ, ତଞ୍ଜିମ ହସନ ଶାକିବ, ରକିବୁଲ ହସନ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.