ସିଙ୍ଗାପୁରରେ ବନ୍ଦ ହେଲା ୧୮୨ ବର୍ଷର ଘୋଡ଼ା ଦୌଡ଼ ପରମ୍ପରା, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | October 05, 2024 IST

କ୍ରାଞ୍ଜି ୫।୧୦:  ଜମି ଅଭାବ ଯୋଗୁ ସିଙ୍ଗାପୁର ଶନିବାର ଘୋଡ଼ା ଦୌଡ଼ର ୧୮୨ ବର୍ଷ ପ୍ରାଚୀନ ବ୍ରିଟିଶ ଶାସନ କାଳର ପରମ୍ପରାକୁ ଗୁଡବାୟ କହିଛି। କ୍ରାଞ୍ଜିର ପ୍ରତିଷ୍ଠିତ ସିଙ୍ଗାପୁର ଟର୍ଫ କ୍ଲବ (ଏସଟିସି) ରେସକୋର୍ସ ହାଉସିଂ ଓ ଅନ୍ୟ ବିକାଶ ପ୍ରକଳ୍ପକୁ ସ୍ଥାନଦେବା ପାଇଁ ନିଜ ଦ୍ୱାରକୁ ସବୁଦିନ ନିମନ୍ତେ ବନ୍ଦ କରିଦେଇଛି। ‘ଷ୍ଟ୍ରେଟସ ଟାଇମ’ ରିପୋର୍ଟ ଅନୁସାରେ ଏସଟିସି  ସବୁଦିନ ପାଇଁ ବନ୍ଦ ହେବା ପୂର୍ବରୁ ଶନିବାର ଶେଷ ଘୋଡ଼ା ଦୌଡ ଆୟୋଜନ କରିଥିଲା, ଯାହାକୁ ଦେଖିବାକୁ ଘୋଡାଦୌଡ଼ ସୌକିନ ଲୋକେ ପହଞ୍ଚିଥିଲେ।  

ସିଙ୍ଗାପୁରରେ ଏସଟିସି ୧୮୪୨ରୁ ଘୋଡା ଦୌଡ଼ ପସନ୍ଦ କରୁଥିବା ଲୋକଙ୍କ ଠିକଣା ହୋଇ ରହିଥିଲା। ଏସଟିସି ୧୮୨ ବର୍ଷର ଯାତ୍ରାକୁ ୧୦ଟି ଦୌଡରେ ଭବ୍ୟ ବିଦାୟୀ ସହିତ ସମାପନ କରିଛି। ଏହି ସମାପନ ଉତ୍ସବ ୧.୩୮ ମିଲିୟନ ସିଙ୍ଗାପୁର ଡଲାରର ଗ୍ରାଣ୍ଡ ସିଙ୍ଗାପୁର ଗୋଲ୍ଡ କପରେ ହୋଇଛି। ଏସଟିସି ରେସକୋର୍ସର ୧୨୪ ହେକ୍ଟର ଜମି ମାର୍ଚ୍ଚ ୨୦୨୭ ସୁଧା ସିଙ୍ଗାପୁର ସରକାରଙ୍କୁ ହସ୍ତାନ୍ତରିତ କରିଦିଆଯିବ। ସିଙ୍ଗାପୁରରେ ୧୮୦ ବର୍ଷ ପୂର୍ବେ ସ୍କଟଲ୍ୟାଣ୍ଡ ବ୍ୟବସାୟୀ ୱିଲିୟମ ହେନରୀ ମ୍ୟାକଲିୟୋଡ ରିଡ ଘୋଡ଼ାଦୌଡ଼ ଆରମ୍ଭ କରିଥିଲେ। 

୧୯୨୪ ମସିହାରେ ଏହାର ନାମ ବଦଳାଇ ସିଙ୍ଗାପୁର ଟର୍ଫ କ୍ଲବ ବାଏସଟିସି କରି ଦିଆଯାଇଥିଲା। ରେସିଂ ପ୍ରତି ବଢୁଥିବା ଆଗ୍ରହକୁ ଦେଖି ଏସଟିସି ତାଙ୍କର ସେରାଙ୍ଗୁନ ରୋଡ (ଫର୍ର ପାର୍କ) ରେସ୍ କୋର୍ସକୁ ବିକ୍ରି କରି ୧୫ ଏପ୍ରିଲ ୧୯୩୩ରେ ସିଙ୍ଗାପୁର ଗଭର୍ଣ୍ଣର ସାର ସେସିଲ କ୍ଲେମେଣ୍ଟି ବୁକିଟ୍ ତିମାହରେ ଏକ ନୂଆ ରେସକୋର୍ସ ଖୋଲିଥିଲେ। ଶେଷରେ ୧୯୯୯ ମସିହାରେ ଏହାକୁ କ୍ରାଞ୍ଜିକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା। ତାହା ଏବେ ବନ୍ଦ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.