ବଜେଟ୍‌ରେ ରେଲୱେ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ଆବଣ୍ଟିତ, ଜାଣନ୍ତୁ କ'ଣ କ'ଣ ହୋଇଛି ବଡ଼ ଘୋଷଣା

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୫୦ ଲକ୍ଷ ୬୫ ହଜାର ୩୪୫ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ରେ ଦେଶର ଲାଇଫ୍‌ଲାଇନ୍ କୁହାଯାଉଥିବା ରେଲୱେକୁ ୨.୫୫ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଏଥିରେ ରାଜସ୍ୱରେ ୩,୩୪୫ କୋଟି ଟଙ୍କା ଏବଂ ପୁଞ୍ଜିଗତ ବ୍ୟାୟରେ ୨,୫୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହିପରି ରେଲୱେ ପାଇଁ ମୋଟ ୨,୫୫,୪୪୫ କୋଟି ଟଙ୍କାର ବଜେଟ୍ ପ୍ରାବଧାନ ହୋଇଛି । ନୂଆ ରେଳ ଲାଇନ୍ ବିଛାଇବା ପାଇଁ ୩୨,୨୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରେଲୱେ ଲାଇନର ଦୋହରୀକରଣ ପାଇଁ ୩୨,୦୦୦ କୋଟି ଏବଂ ଗଜ୍ ଲାଇନ୍‌ରେ ପରିବର୍ତ୍ତନ ପାଇଁ ୪୫୫୦ କୋଟି ଟଙ୍କା ବଜେଟ୍ ସ୍ଥିର କରାଯାଇଛି ।

ବଜେଟରେ ସିଗ୍ନଲିଂ ଏବଂ ଟେଲିକମ୍ ପାଇଁ ୬୮୦୦ କୋଟି ଟଙ୍କା, ବିଦ୍ୟୁତକରଣ ପାଇଁ ୬୧୫୦ କୋଟି ଟଙ୍କା, କର୍ମଚାରୀ କଲ୍ୟାଣ ଉପରେ ୮୩୩ କୋଟି ଟଙ୍କା ବଜେଟ୍ ସ୍ଥିର କରାଯାଇଛି । ରେଲୱେ ଷ୍ଟାଫ୍‌ଙ୍କ ଟ୍ରେନିଂ ପାଇଁ ୩୦୧ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ରେଲୱେ ସୁରକ୍ଷା ପାଣ୍ଠିରେ ୪୫ ହଜାର କୋଟି ଟଙ୍କା ଟ୍ରାନ୍ସଫର୍ କରାଯିବ ।

ରେଲୱେ ସହ ଜଡ଼ିତ ସୂତ୍ର ଅନୁସାରେ ବଜେଟରେ ରେଲୱେର ପୁଞ୍ଜିଗତ ବ୍ୟାୟ (କ୍ୟାପେକ୍ସ) ଆବଣ୍ଟନ ୨୦ ପ୍ରତିଶତ ବଢାଯିବା ନେଇ ଆଶା କରାଯାଉଥିଲା । ରେଲୱେ ଅନୁସାରେ ଗତ ବର୍ଷ ଆବଣ୍ଟିତ ୨.୬୫ ଲକ୍ଷ କୋଟି ଟଙ୍କାରୁ ରେଲୱେ ପ୍ରାୟ ୮୦ ପ୍ରତିଶତ ଖର୍ଚ୍ଚ କରିସାରିଛି । ତେବେ ଚଳିତ ବଜେଟ୍‌ରେ ସେପରି କୌଣସି ବଡ଼ ଘୋଷଣା ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ ବଜେଟରେ ରେଲୱେ ପାଇଁ ୨,୫୫,୨୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା ।    

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.