ନୂଆଦିଲ୍ଲୀ: ଭାରତ ପରି ବିଶାଳ ଦେଶରେ ସାଧାରଣ ବଜେଟକୁ ବୁଝିବା ଅନେକ ଲୋକଙ୍କ ପାଇଁ ସହଜ ନଥାଏ । ତେବେ ଏହାକୁ ଆମେ ଘର ଚଲାଇବା ଉଦାହରଣକୁ ନେଇ ବୁଝିପାରିବା । ଘର ଚଲାଇବା ପାଇଁ ଯେପରି ଆୟ ଏବଂ ବ୍ୟୟର ଗୋଟିଏ ହିସାବ ରଖାଯାଏ, ସେହିପରି ଦେଶ ଚଲାଇବା ପାଇଁ ଆୟ ଏବଂ ବ୍ୟୟର ହିସାବ ହେଉଛି ସାଧାରଣ ବଜେଟ୍ । ସରକାର ଦେଶର ବଜେଟ୍ ପରିଚାଳନାକୁ ଉନ୍ନତ କରିବା ସବୁ ସମ୍ଭବ ଉଦ୍ୟମ କରନ୍ତି । ଦେଶର ବଜେଟ୍ ପାଇଁ ପୁଞ୍ଜି କେଉଁଠୁ ଆସେ ଏବଂ ତାହାକୁ କେଉଁଠି ଖର୍ଚ୍ଚ କରାଯାଏ ଆସନ୍ତୁ ତାହା ଏକ ଟଙ୍କାରେ ଜାଣିବା ।
୧ ଟଙ୍କା କେଉଁଠୁ ଆସେ ?
ଘର ଚଲାଇବା ପାଇଁ ଟଙ୍କା ଦରକାର ପଡ଼ିଥାଏ ଏବଂ ଏଥିପାଇଁ ଆପଣ ନିଜ କ୍ଷମତା ଅନୁସାରେ ଆୟ କରନ୍ତି । ଠିକ୍ ସେହିପରି ସରକାର ମଧ୍ୟ ଆୟ ବା ରେଭେନ୍ୟୁ ଜେନେରେଟ୍ କରିଥାନ୍ତି । ସରକାରଙ୍କ ଆୟର ଅନେକ ମାଧ୍ୟମ ରହିଛି, ଯେଉଁଥିରୁ ରାଜସ୍ୱ ପାଇଥାନ୍ତି । ୨୦୨୫-୨୬ ବଜେଟ୍ ଅନୁସାରେ ଆୟକର ଟିକସରୁ ୨୨ ପଇସା, ଋଣରୁ ୨୪ ପଇସା, ଅଣ-ଟିକସ ଆୟରୁ ୯ ପଇସା, ଅଣ-ଋଣ ପୁଞ୍ଜି ଆୟରୁ ୧ ପଇସା, ସୀମା ଶୁଳ୍କରୁ ୪ ପଇସା, କର୍ପୋରେସନ ଟିକସରୁ ୧୭ ପଇସା, ଜିଏସଟି ଏବଂ ଅନ୍ୟ ଟିକସ ୧୮ ପଇସା, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରୁ ୫ ପଇସା ଆୟ କରନ୍ତି ।
୧ ଟଙ୍କା କେଉଁଠି ଖର୍ଚ୍ଚ ହୁଏ ?
ଆୟ ହିସାବରେ ବଜେଟରେ ଖର୍ଚ୍ଚ ମଧ୍ୟ ସ୍ଥିର କରାଯାଇଥାଏ । ଅର୍ଥାତ୍ ସେହି ହିସାବରେ ଖର୍ଚ୍ଚ ହୋଇଥାଏ । ସରକାର ଆୟର ଏକ ଟଙ୍କାକୁ ବିଭିନ୍ନ ମାର୍ଗରେ ଖର୍ଚ୍ଚ କରିଥାନ୍ତି । କେନ୍ଦ୍ରୀୟ ଯୋଜନା (ପ୍ରତିରକ୍ଷା ଏବଂ ଆର୍ଥିକ ସହାୟତା ଉପରେ ପୁଞ୍ଜିଗତ ବ୍ୟୟ ସାମିଲ ନଥାଏ) ଉପରେ ୧୬ ପଇସା, ସୁଧ ପରିଶୋଧ ପାଇଁ ୨୦ ପଇସା, ପ୍ରତିରକ୍ଷା କ୍ଷେତ୍ର ପାଇଁ ୮ ପଇସା, ବିତ୍ତୀୟ ଆୟୋଗ ଏବଂ ଅନ୍ୟ ଟ୍ରାନ୍ସଫର ପାଇଁ ୮ ପଇସା, ଟିକସ୍ ଏବଂ ଶୁଳ୍କରେ ରାଜ୍ୟର ଭାଗ ୨୨ ପଇସା, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ୮ ପଇସା, ସବ୍ସିଡି ପାଇଁ ୬ ପଇସା, ପେନ୍ସନ୍ ଦେବା ପାଇଁ ୪ ପଇସା ଏବଂ ଅନ୍ୟାନ୍ୟ ପାଇଁ ୮ ପଇସା ଖର୍ଚ୍ଚ କରାଯାଏ ।