ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ମଧ୍ୟବିତ୍ତଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ନେଇ କୁହାଯାଇଥିବାବେଳେ ସବୁ କ୍ଷେତ୍ରକୁ ଗୁରତ୍ବ ଦିଆଯାଇଛି।ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶକୁ ନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି।ଯେଉଁଥିରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି କ୍ୟାନ୍ସର ସମେତ ଅନ୍ୟ ଗୁରୁତର ରୋଗର ଚିକିତ୍ସାରେ ବ୍ୟବହାର ହେଉଥିବା ଜୀବନ ରକ୍ଷାକାରୀ ଔଷଧକୁ ଟ୍ୟାକ୍ସ ମୁକ୍ତ କରିବା ନେଇ ଘୋଷଣା।
ନିର୍ମଳା ସୀତାରମଣ କରିଥିବା ଘୋଷଣା ଅନୁଯାୟୀ, କେନ୍ଦ୍ର ସରକାର କ୍ୟାନ୍ସର ସମେତ ଅନ୍ୟ ଗୁରୁତର ରୋଗ ପାଇଁ ବ୍ୟବହାର ହେଉଥିବା ୩୬ ଜୀବନ ରକ୍ଷାକାରୀ ଔଷଧକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା ବାଦ୍ ୬ ଜୀବନରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି। ଦାମୀ ଔଷଧ ଏବଂ ମେଡିକାଲ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ସରକାର ଏହି ପ୍ରସ୍ତାବ ରଖିଛନ୍ତି। କେମୋଥେରାପୀ ବା କେମୋ କ୍ୟାନ୍ସର ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ। ଏହି ଔଷଧ ରୋଗୀଙ୍କୁ ଏବେ ଶସ୍ତାରେ ମିଳିବ। ଏହା ବାଦ୍ ଫୁସ୍ଫୁସ୍, ସ୍ତନ କର୍କଟ, ଓଭାରୀ ଏବଂ ବ୍ଲଡ୍ କ୍ୟାନ୍ସରର ଔଷଧ ଉପରୁ ମଧ୍ୟ ଶୁଳ୍କ ଛାଡ଼ ହେବ।
ଏହା ସହ ସିସ୍ପ୍ଲେଟିନ. ଡାକ୍ସେରୁବିସିନ, ପେକ୍ଲିଟେକ୍ସେଲ, ପେମ୍ବ୍ରୋଲିଜୁମେବ, ଇମେଟିନିବ, ଟ୍ରାଷ୍ଟୁଜୁମେବ, ଟେମୋକ୍ସିଫେନ, ଏନଜାଲୁଟାମାଇଡ, ନିବୋଲୁମ୍ୟାବ ସମେ ଇମ୍ୟୁନୋଥେରାପି ଔଷଧ ଟ୍ୟାକ୍ସ ହଟାଯିବ।
ସୂଚନାଥାଉକି, ଭାରତରେ କ୍ୟାନ୍ସର ଦ୍ରୁତ ଭାବରେ ବ୍ୟାପୁଛି। ପ୍ରତି ବର୍ଷ କ୍ୟାନ୍ସର ରୋଗୀଙକ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଏହା ମହଙ୍ଗା ଚିକିତ୍ସା ଅନେକ ପରିବାରର ଆର୍ଥିକ ମେରୁହାଡ଼ ଭାଙ୍ଗିଦେଉଛି। ଆଉ ଲକ୍ଷ ଲକ୍ଷ ଖର୍ଚ୍ଚ କରିବ ରୋଗୀ ଠିକ୍ ହେବାର କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ। ଏମିତିରେ ସରକାରଙ୍କ କ୍ୟାନ୍ସର ଔଷଧକୁ ଟ୍ୟାକ୍ସ ଫ୍ରି କରିବା ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି।
ବଢ଼ିଲା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ ଆବଣ୍ଟନ
ସରକାର ଦେଶର ସ୍ବାସ୍ଥ୍ୟ ସେବା ପ୍ରଣାଳୀର ବିକାଶ, ରକ୍ଷଣାବେକ୍ଷଣ ଏବଂ ସୁଧାର ପାଇଁ ୯୫, ୯୫୭.୮୭ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି। ୨୦୨୪-୨୫ରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ୮୬,୫୮୨.୪୮ କୋଟି ଟଙ୍କା ଆବଣ୍ଟନ କରିଥିଲେ। ସେହିଭଳି ଔଷଧ ଉଦ୍ୟୋଗ ପିଏଲଆଇ ପାଇଁ ୨,୪୪୫ କୋଟି ଟଙ୍କାର ମଧ୍ୟ ଆବଣ୍ଟନ କରିଛନ୍ତି।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଆରୋଗୀ ଯୋଜନା (ଏବି ପିଏମ- ଜେଏଓ୍ବାଇ)କୁ ୯ ହଜାର ୪୦୬ କୋଟି ଟଙ୍କାର ଆବଣ୍ଟନ ମିଳିଛି। ଏହା ବାଦ ସରକାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍ଏବିଏଚ୍ଆଇଏମ) ପାଇଁ ୪,୨୦୦ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି। ରାଷ୍ଟ୍ରୀୟ ସ୍ବାସ୍ଥ୍ର ମିଶନ (ଏନ୍ଏଚ୍ଏମ୍)କୁ ୩୭, ୨୨୬. ୯୨ କୋଟି ଟଙ୍କା ଆବଣ୍ଟନ ଏବଂ ରାଷ୍ଟ୍ରୀୟ ଟେଲି ମାନସିକ ସ୍ବାସ୍ଥ୍ୟା କାର୍ଯ୍ୟକ୍ରମକୁ ୭୯.୬ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।
ମେଡିକାଲ ସିଟ୍ ବଢ଼ିବ
ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ୨୦୧୪ରୁ ଏପର୍ଯ୍ୟନ୍ତ ମେଡିକାଲ ପାଠକୁ ପ୍ରୋତ୍ସାହନ ପାଇଁ ୧.୧ ଲକ୍ଷ ମେଡିକାଲ ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍ ଯୋଡ଼ା ଯାଇଛି। ଆସନ୍ତା ବର୍ଷ ହସ୍ପିଟାଲ ଏବଂ କଲେଜରେ ୧୦ ହଜାର ଅତିରିକ୍ତ ସିଟ୍ ଯୋଡ଼ାଯିବ। ସରକାର ଆଗାମୀ ୩ ବର୍ଷରେ ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର କ୍ୟାନ୍ସର ସେଣ୍ଟରର ସ୍ଥାପନାର ସୁବିଧା ପ୍ରଦାନ କରାଯିବ।