ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନା ହେଉଛି ସରକାରଙ୍କ ଏକ ନୂଆ ପଦକ୍ଷେପ। ଦେଶରେ କମ୍ ଉତ୍ପାଦନ ହେଉଥିବା ୧୦୦ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ ଏବଂ ବର୍ତ୍ତମାନ ଥିବା କୃଷି ଯୋଜନା ଏବଂ ଉପାୟ ମାଧ୍ୟମରେ ଗ୍ରାମାଞ୍ଚଳର ସମୃଦ୍ଧିକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦିଆଯିବ। ଯୋଜନାକୁ ରାଜ୍ୟ ସରକାରଙ୍କ ସହଭାଗିତାରେ ଲାଗୁ କରାଯିବ।
ଏହି ଯୋଜନା ପାଞ୍ଚଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିବ। ସେଗୁଡ଼ିକ ହେଲା କୃଷି ଜ୍ଞାନକୌଶଳ ଦ୍ବାରା ଏସବୁ ଅଞ୍ଚଳରେ କୃଷି ଉତ୍ପାଦନ ବଢ଼ାଇବା, ଦୀଘମିଆଦି ଲାଭ ସୁନିଶ୍ଚିତ କରିବା ପାଇଁ ଫସଲର ବିବିଧତା ଏବଂ ସ୍ଥିର କୃଷି ପଦ୍ଧତିକୁ ପ୍ରୋତ୍ସାହନ, ଫସଲ ନଷ୍ଟକୁ କମ୍ କରିବା ପାଇଁ ପଞ୍ଚାୟତ ଏବଂ ବ୍ଲକ୍ ସ୍ତରରେ ଫସଲ ଅମଳ ଏବଂ ଏହା ପରେ ଏହାକୁ ସୁରକ୍ଷିତ ଭାବରେ ଗଚ୍ଛିତ ରଖିବା ସୁବିଧା ବିକଶିତ କରିବା, କୃଷି ଉତ୍ପାଦନ ବଢ଼ାଇବା ପାଇଁ ସିଞ୍ଚନ ସୁବିଧାରେ ସୁଧାର କରିବା ଏବଂ ଉତ୍ତମ କୃଷି ପଦ୍ଧତିରେ ନିବେଶ କରିବା ପାଇଁ ଚାଷୀଙ୍କୁ ଦୀର୍ଘମିଆଦୀ ଏବଂ ଅଳ୍ପସମୟ ଅବଧିର ଋଣ ଯୋଗାଇବା ସୁବିଧା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ଜରିଆରେ ଏହି ଜିଲ୍ଲାରେ ୧.୭ କୋଟି ଚାଷୀଙ୍କୁ ଲାଭ ମିଳିବ।