ଛତ୍ରପୁର ୭।୧୧: ଭଞ୍ଜନଗର ବସଷ୍ଟାଣ୍ଡରୁ ବସ୍ ଚୋରି । ଗଞ୍ଜାମ ଥାନା ନିକଟ ଜାତୀୟ ରାଜପଥରୁ ହେଲା ଉଦ୍ଧାର । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ଅନେକ ବସ୍ ରହିଥାଏ । ବୁଧବାର ରାତିରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ୍ ରହିଥିଲା । ଗାଡ଼ି ଚାଳକ ଦେଖିଲା ବେଳକୁ ବସଷ୍ଟାଣ୍ଡରେ ବସ୍ ନାହିଁ । ବସ୍ଟି ଚୋରି ହୋଇଯାଇଥିବା ଜାଣି ଗାଡି ମାଲିକ ଏ. ଶ୍ରୀନିବାସ ବସ୍ ସଂଘ ଓ ପୋଲିସକୁ ଜଣାଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭିରୁ ବସ୍ଟିକୁ ରାତି ୨ଟା ୪୦ରୁ କେହି ଜଣେ ଚୋରି କରି ନେଉଥିବା ଜଣାପଡିଥିଲା । ଏପରିକି ବସ୍ଟି ବେଲଗୁଣ୍ଠା ରାସ୍ତା ଦେଇ ଯାଉଥିବା ସିସିଟିଭିରୁ ଜଣାପଡିଥିଲା ।
ବହୁ ଖୋଜାଖୋଜି କରିବା ପରେ ବି ଜଣାପଡିନଥିଲା ବସ୍ଟି କେଉଁଠି ଅଛି । ପରେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁରେ ବସ୍ଟି ଥିବା ଅନ୍ୟ ଜଣେ ମାଲିକ ଜଣାଇଥିଲେ । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ମାଲିକ ପହଞ୍ଚି ବସ୍ଟିକୁ ଉଦ୍ଧାର କରିଥିଲେ । କିନ୍ତୁ ଚୋର ଜଣକ ଗାଡିରୁ ସବୁ ତେଲ କାଡି ନେଇ ଯାଇଥିବା ବେଳେ ବସ୍ଟି ଷ୍ଟାର୍ଟ ମଧ୍ୟ ହେଉନାହିଁ ।
ତେବେ କିଏ ବସ୍ଟିକୁ ଭଞ୍ଜନଗରରୁ ଚୋରି କରି ଏଠାକୁ ଆଣିଲା ତାହା ଜଣାପଡ଼ିନାହିଁ । ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ କରୁଛି । ବସ୍ଟି ଦୈନିକ ଭଞ୍ଜନଗରରୁ ବଦାଙ୍ଗୀ ଯାତାୟତ କରିଥାଏ । ଆଗରୁ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମପୁରରୁ ଏକ ଘରୋଇ ବସ୍ ଚୋରି କରି ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ନିକଟରେ ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ ।