ଚାକିରି ଛଡ଼ାଇ ନେବ କି AI ? ଫ୍ରାନ୍ସରେ ସବୁଠୁ ବଡ଼ ପ୍ରଶ୍ନର ଜବାବ ଦେଲେ ପିଏମ୍ ମୋଦୀ

Published By : Prameya-News7 Bureau | February 11, 2025 IST

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି । ଏହି ଅବସରେ ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେସିଜେନ୍ସି ଯୋଗୁ ନିଯୁକ୍ତି ଯିବ ନାହିଁ ବରଂ ନୂତନ ପ୍ରକାରର ସୁଯୋଗ ସୃଷ୍ଟି ହେବ । ଶିକ୍ଷା ଏବଂ କୃଷି ପରି କ୍ଷେତ୍ରରେ ଏଆଇର ବ୍ୟବହାର କଥା ସେ ଉଲ୍ଲେଖ କରିଛନ୍ତି । ଏହାସହ ଏଆଇ ବିପଦର ସାମନା କରିବା ପାଇଁ ବୈଶ୍ୱିକ ସହଯୋଗ ଉପରେ ବି ଜୋର ଦେଇଛନ୍ତି । 

ପ୍ୟାରିସରେ ଆୟୋଜିତ ଏହି ସମ୍ମିଳନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଉପରେ କେନ୍ଦ୍ରିତ ରହିଛି । ଏହି ଅବସରରେ ପିଏମ୍ ମୋଦୀ ଲୋକଙ୍କ ଦ୍ୱାରା ସବୁଠୁ ଅଧିକ ପଚରା ଯାଉଥିବା ପ୍ରଶ୍ନର ବି ଉତ୍ତର ଦେଇଛନ୍ତି । ଏହି ପ୍ରଶ୍ନ ହେଉଛି- କଣ ଏଆଇ ଲୋକଙ୍କ ଚାକିରି ଛଡ଼ାଇ ନେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ ସାକ୍ଷୀ ରହିଛି ଯେ ପ୍ରଯୁକ୍ତି ଦ୍ୱାରା କାମ ଶେଷ ହୁଏ ନାହିଁ । ବରଂ କାମ କରିବାର ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ ଏବଂ ନୂତନ ପ୍ରକାର ରୋଜଗାର ସୃଷ୍ଟି ହୁଏ ।

ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ଦୁନିଆରେ ଲୋକଙ୍କୁ ନୂଆ ଦକ୍ଷତା ଶିଖିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତର ଏଆଇ ଦୁନିଆ ପାଇଁ ଆମ ଲୋକଙ୍କୁ ନୂଆ ସ୍କିଲ୍ ଶିଖାଇବା ଉପରେ ଅଧିକ ନିବେଶ କରିବାର ଆବଶ୍ୟକତା ରହିଛି । ଏଆଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଆଇ ଏପରି ଏକ ଦୁନିଆ କରିବାରେ ସହାୟକ ହେବ ଯେଉଁଠି ସ୍ଥାୟୀ ଉର୍ଜା ଲକ୍ଷ୍ୟ ହାସଲକୁ ଶୀଘ୍ର ପୂରଣ କରିପାରିବ । ତେବେ ଏଆଇର ବଢୁଥିବା ପ୍ରଭାବକୁ ଦେଖି ଏଥିରେ ସତର୍କତା ଅବଲମ୍ୱନ କରିବା ଦରକାର ବୋଲି ପିଏମ୍ କହିଛନ୍ତି । ସେ କହିଛନ୍ତି ଯେ ଏଆଇ ଆମର ରାଜନୀତି, ଅର୍ଥବ୍ୟବସ୍ଥା, ସୁରକ୍ଷା ଏବଂ ସମାଜକୁ ପରିବର୍ତ୍ତନ କରୁଛି । ଏଥିପାଇଁ ଆମେ ସମସ୍ତେ ମିଶି କାମ କରିବା ଦରକାର । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.