ପୂର୍ବତନ ତଟରକ୍ଷୀ ମହାନିର୍ଦ୍ଦେଶକଙ୍କ ନାଁରେ ସିବିଆଇର ମାମଲା ରୁଜ୍ଜୁ, ବରିଷ୍ଠ ଅଧିକାରୀଙ୍କ ଉପରେ ଲାଗିଲା ହେରଫେର୍‌ ଅଭିଯୋଗ

Published By : Prameya-News7 Bureau | February 12, 2025 IST

ନୂଆଦିଲ୍ଲୀ ୧୨।୦୨:  ପୂର୍ବତନ ଭାରତୀୟ ତଟରକ୍ଷୀ ମହାନିର୍ଦ୍ଦେଶକ କେ.ନଟରାଜନଙ୍କ  ନାମରେ ରୁଜ୍ଜୁ ହୋଇଛି ମାମଲା ।  ୧୦ ମାସ ଧରି ତଦନ୍ତ ପରେ କେ. ନଟରାଜନଙ୍କ  ନାମରେ  କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ମାମଲା ରୁଜ୍ଜୁ କରିଛି । ବରିଷ୍ଠ ଅଧିକାରୀଙ୍କ ବାର୍ଷିକ ଗୋପନୀୟ ରିପୋର୍ଟରେ (ACR) ହେରଫେର କରିବା  ଅଭିଯୋଗ ସିବିଆଇ ମାମଲା ଦାୟର କରିଛି । 

ପ୍ରତିରକ୍ଷା ମନ୍ତ୍ରଣାଳୟ ସିବିଆଇକୁ ଏକ ମାମଲାରେ ଅବଗତ କରାଇଥିଲା ।   ଯେଉଁଥିରେ ବରିଷ୍ଠ ଅଧିକାରୀଙ୍କ ଗୋପନୀୟ ବ୍ୟକ୍ତିଗତ ରେକର୍ଡରେ ହେରଫେର ହୋଇଥିବା ଅଭିଯୋଗ ନେଇ କୁହାଯାଇଥିଲା । ଏହାପରେ ସଂସ୍ଥା ଗତବର୍ଷ ଏପ୍ରିଲରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୧୦ ମାସର ତଦନ୍ତ ପରେ ସିବିଆଇ ଅନେକ ଅଧିକାରୀଙ୍କ ACR ଫାଇଲରେ ହେରଫେର ହୋଇଥିବା ଜାଣିବାକୁ ପାଇଥିଲା । ଏମିତିକି କିଛି ଅଧିକାରୀଙ୍କ NIC ଗାଏବ ହୋଇଥିବା ମଧ୍ୟ ଜଣାପଡିଛି । 

ଅଭିଯୋଗ କରାଯାଇଛି ଯେ ସମ୍ପୃକ୍ତ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ବିବରଣୀ ସହିତ NICରେ ଠିକ୍ ଭାବେ ରହିନଥିଲା । ଏହାବ୍ୟତୀତ ରିପୋର୍ଟିଂ ଅବଧିର ତିନି-ଚାରି ବର୍ଷ ପରେ ହିଁ NIC ଜମା କରାଯାଉଥିବା ଖୁଲାସା ହୋଇଛି । ତଦନ୍ତ ଆଧାରରେ ପୂର୍ବତନ ଭାରତୀୟ ତଟରକ୍ଷୀ ମହାନିର୍ଦ୍ଦେଶକ କେ.ନଟରାଜନଙ୍କ  ନାମରେ ସିବିଆଇ  ମାମଲା ରୁଜ୍ଜୁ କରିଛି । 

୨୦୨୧ ଜୁନ ୭ରେ ତଟରକ୍ଷୀ ବାହିନୀର ମହାନିରୀକ୍ଷକ ରାକେଶ ପାଲ ଏ ସମ୍ପର୍କରେ ପ୍ରତିରକ୍ଷା ସଚିବଙ୍କୁ ଏକ ଚିଠି ପଠାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ସେ ADG ପଦବୀକୁ ପଦୋନ୍ନତି ପାଇଁ ଆବଶ୍ୟକ ACR ଏବଂ ଡୋଜିୟରର ସାଂଖ୍ୟିକ ମୂଲ୍ୟାଙ୍କନରେ ଜାଣିଶୁଣି ହ୍ରାସ କରାଯାଇଥିବା ଅଭିଯୋଗ ଆଣିଥିଲେ ।  

ମନ୍ତ୍ରାଳୟ ସେପ୍ଟେମ୍ବର ୨୦୧୯ରୁ ଏଡିଜି ପଦବୀକୁ ପଦୋନ୍ନତି ପାଇଁ ବିଚାରାଧୀନ ଇନ୍ସପେକ୍ଟର ଜେନେରାଲ କିମ୍ବା ଅତିରିକ୍ତ ନିର୍ଦ୍ଦେଶକଙ୍କ ଗତ ସାତ ବର୍ଷର ACR ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଏକ ତଥ୍ୟ ସନ୍ଧାନ କମିଟି ଗଠନ କରିଥିଲା। ଏହାପରେ ଯାଞ୍ଚରୁ ଏହି ତଥ୍ୟ ମିଳିଛି । ସିବିଆଇର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି ୨୦୧୪ ଏବଂ ୨୦୧୫ରେ ଅଧିକାରୀଙ୍କର ଗ୍ରେଡ୍ ବଢାଯାଇଛି । ଯେତେବେଳେ କି ରାକେଶ ପାଲଙ୍କ ଡିଗ୍ରୀ କମ୍ କରାଯାଇଛି । 

 ନଟରାଜନ ଭାରତୀୟ ତଟରକ୍ଷୀବଳର ୫ମ ବ୍ୟାଚର ଅଧିକାରୀ । ସେ ୧୮ ଜାନୁଆରୀ ୧୯୮୪ରେ ସେନାରେ ସାମିଲ ହୋଇଥିଲେ । ସେ ମାଡ୍ରାସ୍ ବିଶ୍ବବିଦ୍ୟାଳୟରୁ ରକ୍ଷା ଏବଂ ସାମରିକ ଅଧ୍ୟୟନରେ ସ୍ନାତୋକତ୍ତର କରିଛନ୍ତି । ସେ ଓ୍ବେଲିଂଙ୍ଗଟନ୍ରୁ ରକ୍ଷା ଏବଂ ସେବା ଷ୍ଟାଫ୍ କଲେଜର ପୂର୍ବ ଛାତ୍ର । ୨୦୧୯ରେ ଭାରତୀୟ ତଟରକ୍ଷାବଳର ମହାନିର୍ଦ୍ଦେଶକ ହୋଇଥିଲେ । ସେ ବିଭିନ୍ନ ପ୍ରମୁଖ କମାଣ ଏବଂ ଷ୍ଟାଫ୍ଙ୍କ ନିଯୁକ୍ତି ଭାର ସମ୍ଭାଳିଛନ୍ତି । ସେ ICGର ସବୁ ବର୍ଗର ଜାହାଜର କମାଣ ସମ୍ଭାଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.