ଭୁବନେଶ୍ୱର ୧୬।୧୨ : ଦାମୀ ଗାଡିରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା । ସୋମବାର ସରୁଛି ତିନି ଅଭିଯୁକ୍ତଙ୍କ ୨ୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ସିବିଆଇ ପକ୍ଷରୁ ତିନି ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ଆଉ ଥରେ ମାନେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ଆବେଦନ କରିପାରେ ସିବିଆଇ ।
ଟେଣ୍ଡର ଫକ୍ସିଂ ମାମଲାରେ ଜାରି ରହିଛି ତନାଘନା । ସିବିଆଇ କାର୍ଯ୍ୟାଳୟରେ ଚାଲିଛି ଘନଘନ ଜେରା। ମାମଲାରେ ଗିରଫ ତିନି ଅଭିଯୁକ୍ତ ଦେବଦତ୍ତ ମହାପାତ୍ର, ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣାଙ୍କୁ ଝାଳ ବୁହା ପ୍ରଶ୍ନ ପଚାରିଛି ସିବିଆଇ। ଗୁଡ଼ାଇ ତୁଡ଼ାଇ ପ୍ରଶ୍ନରେ ସିବିଆଇକୁ ମଧ୍ୟ ବଡ଼ ବଡ଼ ଲିଙ୍କ ମିଳିଥିବା ସୂଚନା ମିଳିଛି । ମିଡିଲ ମ୍ୟାନ ଦେବଦତ୍ତ ମହାପାତ୍ରଙ୍କ କମ୍ପାନୀ ଆଦିତ୍ୟ ଦେବ ଇନଫ୍ରାର କେୟାରଟେକରଙ୍କୁ ମଧ୍ୟ ଜେରା କରିଛି ସିବିଆଇ। କାରଣ ଦେବଦତ୍ତ ମହାପାତ୍ରଙ୍କ ହିସାବ କିତାବ ଠାରୁ ଟେଣ୍ଡର ଆବେଦନ ସବୁ କିଛି ବାବଦରେ ସେ ଜାଣିଛନ୍ତି। ତେଣୁ ଅଧିକ ତଥ୍ୟ ହାସଲ ପାଇଁ ମହିଳା କମର୍ଚାରୀଙ୍କୁ ପଚରାଉଚରା କରିଛନ୍ତି । ତେବେ ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ମହିଳା କର୍ମଚାରୀ ଜଣକ ବାହାରିବା ପରେ ମୁହଁ ଖୋଲିନଥିଲେ । ଏପଟେ ଗିରଫ ଅଭିଯୁକ୍ତ ସନ୍ତୋଷ ମହାରଣାଙ୍କ ପରିବାରର ଦୁଇ ସଦସ୍ୟ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ହୋଇଛନ୍ତି ହାଜର ।
ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ବ୍ରିଜ ଏଣ୍ଡ ରୁଫ୍ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କୁ ଧରି ଟେଣ୍ଡର ହାତେଇବାକୁ ହୋଇଥିଲା ଷଡ଼ଯନ୍ତ୍ର । ଏହା ପଛରେ ଯେଉଁ ମାନେ ଅଛନ୍ତି ନାଁ ଜାଣିବା ପରେ, ଜଣକ ପରେ ଜଣଙ୍କୁ ସିବିଆଇ ଜେରା କରୁଛି । ରାମ ମନ୍ଦିର ନିକଟରେ ଥିବା ବ୍ରିଜ ଏଣ୍ଡ ରୁଫ କମ୍ପାନୀ ଇଣ୍ଡିଆ ଲିମିଟେଡର କାର୍ଯ୍ୟାଳୟରେ ରେଡ୍ କରି ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଛି । ବ୍ୟାଙ୍କ୍ ଷ୍ଟେଟମେଣ୍ଟଠୁ ଆରମ୍ଭ କରି ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଖୋଳତାଡ କରିଛି ସିବିଆଇ ।