କଟକ: ସୁରଟରେ ପ୍ଲାନିଂ... କଟକରେ ମର୍ଡର। କାଠଯୋଡି ପଠାରେ ମହିଳାଙ୍କୁ ବିଭତ୍ସ ହତ୍ୟା। ପୋଲିସ ପାଖରେ ନଥିଲା ହତ୍ୟାକାଣ୍ଡ ନେଇ କୌଣସି ସୁରାକ୍। ୩୦ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ୨ ରାଜ୍ୟରେ ପୋଲିସର ଘନ ଘନ ରେଡ୍। ଆଉ ଶେଷରେ ହତ୍ୟାକାରୀକୁ ଧରାଇଦେଲା ଟେଲର୍ ଟ୍ୟାଗ୍ ଓ ଡିଜିଟାଲ ପେମେଣ୍ଟ। କଟକ ପରମହଂସ କାଠଯୋଡି ପଠାରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ। ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କଟକ ସ୍ପେଶାଲ ସ୍କ୍ୱାଡ୍। ମୃତ ମହିଳା ହେଲେ ପଦ୍ମାବତୀ ସାମଲ।
ତେବେ ପଦ୍ମାବତୀକୁ ହତ୍ୟା କରିବାର କାରଣ କଣ। କିଏ ରଚିଥିଲା ହତ୍ୟାକାଣ୍ଡର ପ୍ଲଟ୍। କେମିତି ସସପେନ୍ସକୁ ଭେଦିଲା ପୋଲିସ। ଡିସେମ୍ବର ୧୩ ତାରିଖ। କଟକ ପରମହଂସ କାଠଯୋଡି ପଠାରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ମୃତଦେହ ନିକଟରେ ଥିଲା ଛୋଟ ଝିଅର ଡ୍ରେସ, ହର୍ଲିକ୍ସ ବୋତଲ, ପାନ ଗୁଟଖା, ଗୋଟେ ପୁରୁଷ ଲୋକର ପ୍ୟାଣ୍ଟ, ସାର୍ଟ ଓ ଗୋଟିଏ ଗ୍ଲୋବସ।
ମହିଳାଙ୍କ ପରିଚୟ ନଥିବାରୁ ମହିଳା ଜଣଙ୍କ କିଏ ଓ କାହିଁକି ହତ୍ୟା କରାଗଲା ଜାଣିବା ପୋଲିସ ପାଇଁ ଥିଲା ବଡ଼ ଚାଲେଞ୍ଜ। ଅଭିଯୁକ୍ତଙ୍କୁ ଧରିବା ସହ ତଦନ୍ତ ପାଇଁ ଗଠନ କରାଯାଇଥିଲା ସ୍ପେସାଲ୍ ସ୍କ୍ବାର୍ଡର ୪ଟି ଟିମ୍। କଟକ ସମେତ କେନ୍ଦ୍ରାପଡା, ଜଗତସିଂହପୁର, ଭଳି ପାଖ ଜିଲ୍ଲାକୁ ଯାଇ ତଦନ୍ତ କରିଥିଲା। ସିସିଟିଭି ଯାଞ୍ଚ ସହ ପୋଲିସ ମହିଳାଙ୍କ ହାତରେ ଲେଖା ଥିବା ଓମ୍ ବାବା ବଳିଆ ଓ ମାତା ପିତା ଲେଖାକୁ ନେଇ ଖୋଳ ତାଡ଼ କରିଥିଲା। ଡ୍ରେସରେ ନିଉ ଷ୍ଟାର ଟେଲର ଲେଖାକୁ ନେଇ ତଦନ୍ତ କରି ସୁରତରେ ପହଞ୍ଚିଥିଲା ପୋଲିସ।
ହେଲେ ସେଥିରେ ନାଁ ବାବୁ ଲେଖା ହୋଇଥିବା ସହ ୧୦୦ ଟଙ୍କା ପେମେଣ୍ଟ କରାଯାଇଥିଲା। ବାସ୍ ଏତିକି ପ୍ରମାଣକୁ ନେଇ ହତ୍ୟାକାରୀ ପାଖରେ ପହଞ୍ଚିଥିଲା ପୋଲିସ। ହତ୍ୟାକାରୀ ସୁରଟ ଯାଉଥିବା ବେଳେ ତାକୁ ରାୟଗଡ଼ା ନିକଟରେ ଟ୍ରେନରୁ ଗିରଫ କରିଥିଲା ପୋଲିସ। ଆଉ ଶେଷରେ ପୋଲିସ୍ ଖୋଲିଛି ହତ୍ୟାକାଣ୍ଡର ରହସ୍ୟ।
ହତ୍ୟାକାଣ୍ଡର କାରଣ ହେଉଛି ପରକୀୟା ପ୍ରୀତି। ମୃତ ମହିଳା ପଦ୍ମାବତୀ ସାମଲଙ୍କୁ ହିଁ ନିଜ ସ୍ୱାମୀ, ଦୁଇ ଦିଅର ମିଶି ଦୁଇ ବର୍ଷର ଝିଅ ସମ୍ମୁଖରେ ହାଣି ହତ୍ୟା କରିଥିଲେ। ପଦ୍ମାବତୀଙ୍କ ସ୍ବାମୀ ବଳରାମ ଦେହୁରୀ ଦିଅର ଜଗନ୍ନାଥ ଦେହୁରୀ ଓ ହାପି ଦେହୁରୀ ଯୋଜନା ବଦ୍ଧ ଭାବେ କଟକ ଆଣିଥିଲେ। ତାଙ୍କୁ ନିଛାଟିଆ ସ୍ଥାନ ଦେଖି ବେକ, ମୁହଁକୁ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ହତ୍ୟାକାଣ୍ଡ କୌଣସି ଫିଲ୍ମ କାହାଣୀ ଠାରୁ ବି କମ୍ ନଥିଲା। ହତ୍ୟାକାଣ୍ଡ ପରେ ମୃତଦେହ ନିକଟରେ ଛୋଟ ଝିଅର ଡ୍ରେସ ବିଭିନ୍ନ ସାମଗ୍ରୀ ପକାଇ ପକେଇ ଚାଲିଯାଇଥିଲେ ଅଭିଯୁକ୍ତ।
ବିନା ପରିଚୟରେ ଏକ ମୃତଦେହକୁ ନେଇ ତଦନ୍ତ କରିବା, ଅନ୍ୟ ରାଜ୍ୟକୁ ଯାଇ ମାତ୍ର ୩୦ ଘଣ୍ଟା ମଧ୍ୟରେ ହତ୍ୟାକାରୀର ପ୍ରମାଣ ପାଇବା କମିଶନରେଟ୍ ପୋଲିସ ପାଇଁ ଏହା ବଡ଼ ସଫଳତା।