ଢେଙ୍କାନାଳ: ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୋଲାର ଏନର୍ଜୀ କାରଖାନା। ଏସିଆ ମହାଦେଶର ସର୍ବବୃହତ୍ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ ପକ୍ଷରୁ ଏହି କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଏହି ଉପଲକ୍ଷେ ଢେଙ୍କାନାଳ ସଦର ବ୍ଲକର ନେଉଳ ପୋଇ ଠାରେ ଏହି କାରଖାନାର ଭୂମି ପୂଜନ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି କାରଖାନାର ଭୂମି ପୂଜନ କରିଛନ୍ତି।
ଏହି ଅବସରରେ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କୃଷ୍ଣ ପାତ୍ର ଉପସ୍ଥିତ ଜନସାଧରଣଙ୍କୁ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଓଡିଶାର ସ୍ୱପ୍ନ କୁ ଆଧାର କରି ଅକ୍ଷୟ ଉର୍ଜାକୁ ସୁବିନିଯୋଗ ପାଇଁ ଏହି ପ୍ରୟାସ ବୋଲି କହିଥିଲେ। ଏହି ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସ୍ଥାନୀୟ ନିଯୁକ୍ତି ସାଙ୍ଗକୁ ଅଂଚଳର ଉନ୍ନତି ଓ ବିକାଶ ହେଲେ ଜିଲ୍ଲାର ବିକାଶ ହେବ। ଆଉ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ। ଆଜି ଠାରୁ ବିକାଶର ନିଅଁ ପଡିଲା ବୋଲି ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି।
ଗତ ସେପ୍ଟେମ୍ବର ୨୦୨୨ ମସିହାରେ ଓଡିଶା ସରକାରଙ୍କ ସହିତ ଏହି କମ୍ପାନୀ ଚୁକ୍ତିନାମା କରିଛି। ଢେଙ୍କାନାଳ ସଦର ବ୍ଲକ୍ ନେଉଳ ପୋଇ ଠାରେ ଏହି କାରଖାନା ୫୯୫ଏକର ପରିମିତ ଜାଗାରେ ୨୫ହଜାର କୋଟି ଟଙ୍କା ନିବେଶ କରିବ। ୬ ଗିଗା ୱାଟ ସୋଲାର ଏନର୍ଜି ଉତ୍ପାଦନ କରିବା ସହିତ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିବ କାରଖାନା। ଫଳରେ କାରଖାନାରେ ସିଧାସଳଖ ୧୪ହଜାର କର୍ମଚାରୀ ନିଯୁକ୍ତି ହେବେ। ଆସନ୍ତା ୯ମାସ ମଧ୍ୟରେ ଉତ୍ପାଦନ କରିବା ଆରମ୍ଭ କରିବ ବୋଲି ପ୍ରକାଶ କରିଛନ୍ତି କାରଖାନାର ନିର୍ଦେଶକ ହିତେଶ ମେହେଟା।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସପି ଅଭିନବ ସୋନକର ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ତେବେ କାରଖାନାରେ ସ୍ଥାନୀୟ ନିଯୁକ୍ତି ସହିତ, ଶିକ୍ଷା,ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥାନୀୟ ଅଞ୍ଚଳର ପାରି ପାରିପାର୍ଶ୍ୱିକ ଉନ୍ନତି ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଜମିହରା ପ୍ରଜାଙ୍କ ଠାରୁ ଆରମ୍ଭ କରି ଅଂଚଳବାସୀ ଉପସ୍ଥିତ ଥିଲେ। ଢେଙ୍କାନାଳରେ ଓଡ଼ିଶାର ପ୍ରଥମ ସୋଲାର ଏନର୍ଜୀ କାରଖାନା ପ୍ରତିଷ୍ଠା ନେଇ ଉତ୍ସାହିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ।