ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜଘାଟରେ ନିର୍ମାଣ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ; ଭୂମି ଚିହ୍ନଟ କରିବା ପାଇଁ ମଞ୍ଜୁରି

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସର ଅର୍ଥାତ୍ ରାଜଘାଟ ପରିସର ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା ଜାଣାଶୁଣା ଲେଖିକା ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । 

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶର୍ମିଷ୍ଠା ଲେଖିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଭେଟିଲି ଏବଂ ବାବାଙ୍କ ପାଇଁ ଏକ ସ୍ମାରକ ନିର୍ମାଣ ନେଇ ତାଙ୍କ ସରକାରଙ୍କ ନିଷ୍ପତ୍ତି ପାଇଁ ହୃଦୟରୁ କୃତଜ୍ଞତା ଜଣାଇଲି । ଏହା ଆହୁରି ଅଧିକ ପ୍ରଶଂସନୀୟ, କାରଣ ଆମେ ଏଥିପାଇଁ କହିନଥିଲୁ । ପ୍ରଧାନମନ୍ତ୍ରୀଙ୍କ ଏହି ଦୟାଭାବ ଏବଂ କୃତଜ୍ଞତାରେ ମୁଁ ଅଧିକ ପ୍ରଭାବିତ ଅଛି ।'

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଏବଂ କେନ୍ଦ୍ର ଗୃହ ଏବଂ ନଗର ମନ୍ତ୍ରଣାଳୟର ଚିଠି ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ବାବା (ପ୍ରଣବ ମୁଖାର୍ଜୀ) କହୁଥିଲେ ଯେ ରାଷ୍ଟ୍ରୀୟ ସମ୍ମାନ ପାଇଁ ନକୁହାଯିବା ଦରକାର, ବରଂ ତାହା ଅଫର୍ କରଯାଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ବାବାଙ୍କ ସ୍ମୃତି ଏବଂ ସମ୍ମାନ ପାଇଁ ଏପରି କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି । ତେବେ ଏଥିରେ ବାବାଙ୍କ ଉପରେ କୌଣସି ଫରକ ପଡ଼ିବ ନାହିଁ କାରଣ ସେ ଏବେ ଏହି ଦୁନିଆରେ ନାହାନ୍ତି ଏବଂ ସେ ପ୍ରଶଂସା ଏବଂ ସମାଲୋଚନାଠାରୁ ବାହାରେ ଥିଲେ । କିନ୍ତୁ ତାଙ୍କ ଝିଅ ହୋଇଥିବାରୁ ମୁଁ ନିଜ ଖୁସିକୁ ଶବ୍ଦରେ ବ୍ୟକ୍ତ କରିପାରିବି ନାହିଁ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.