ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖ ଦୁବାଇରେ ଖେଳାଯିବ। ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଏହା ପୂର୍ବରୁ ୨୦୦୦ ମସିହାରେ ଦୁଇ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ମୁକାବିଲାକୁ ଜିତି ଟ୍ରଫି ଜିତିଥିଲା ନ୍ୟୁଜିଲାଣ୍ଡ। ତେବେ ସବୁଠୁ ଅଧିକ ଚର୍ଚ୍ଚା ଏବେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ପିଚ୍କୁ ନେଇ ଲାଗି ରହିଛି। ଫାଇନାଲ୍ ଦିନ ପିଚ୍ ବୋଲରଙ୍କୁ ନା ବ୍ୟାଟରଙ୍କୁ ସୁହାଇବ ତାହା ଆଲୋଚ୍ୟର ବିଷୟ ପାଲଟିଛି।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆରମ୍ଭରୁ ହିଁ ଦୁବାଇର ପିଚ୍ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇ ଆସିଛି। ପୂରା ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଏହି ପିଚ୍ରେ ଭାରତୀୟ ଦଳ ସର୍ବାଧିକ ରନ କରିଛି। ଦଳ ସେମି ଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୬୫ ରନର ଲକ୍ଷ୍ୟ ହାସଲ କରିଥିଲା। ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ମ୍ୟାଚ୍ରେ ପ୍ରତି ଥର ପରି ଏଥର ବି ନୂଆ ବଲ୍ରେ ଦ୍ରୁତ ବୋଲର ପ୍ରଭାବଶାଳୀ ହୋଇ ପାରନ୍ତି। ଏ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିଛି ଯେ, ବଲ ୧୦-୧୫ ଓଭର ପୁରୁଣା ହେବା ପରେ ଦୁବା ପିଚ୍ ସ୍ପିନରଙ୍କୁ ବେଶ ସୁହାଉଛି। ପିଚ୍ର ଅବସ୍ଥାକୁ ଦେଖି ସମ୍ଭବତଃ ଟସ୍ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇ ପାରନ୍ତି।
Also read: ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା, ଅବସର ନେଲେ କ୍ୟାପଟେନ୍
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଏ ପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଦୁବାଇରେ ଖେଳା ଯାଇଛି। ଏହି ଚାରି ମ୍ୟାଚ୍ରୁ ସ୍ପିନ ବୋଲର ମୋଟ୍ ୩୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ବିଶେଷ କରି ବରୁଣ ଚକ୍ରବର୍ତ୍ତୀ ଭାରତୀୟ ଦଳ ପାଇଁ ଏକ୍ସ ଫ୍ୟାକ୍ଟର ଭାବେ ସାମ୍ନାକୁ ଆସିଛନ୍ତି। ମହମ୍ମଦ ଶାମିଙ୍କୁ ମଧ୍ୟ ଦୁବାଇ ପିଚ୍ ବେଶ ସୁହାଉଛି। ଯିଏ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ମୋଟ୍ ଦେଖିବାକୁ ଗଲେ ଫାଇନାଲ୍ ମ୍ୟାଚ୍ ବି ଲୋ ସ୍କୋରିଂ ରହିପାରେ, ଯେଉଁଠି ଦ୍ରୁତ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିପାରେ।