ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଇତିହାସ ରଚିବାକୁ ଆଉ କିଛି ଘଣ୍ଟା ଦୂରରେ ରହିଛି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୬ଟା ୪ରେ ଇସ୍ରୋ ପକ୍ଷରୁ ଉତ୍କ୍ଷେପଣ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ଅବତରଣ କରାଇବାକୁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ ପାଇଁ ନିରାପଦ ସ୍ଥାନର ସନ୍ଧାନରେ ରହିଛି।
୪୦ ଦିନର ଲମ୍ବା ଯାତ୍ରା ପରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଚୂଡାନ୍ତ ପ୍ରସ୍ତୁତିରେ ଲାଗିପଡ଼ିଛି। ଏହି ସବୁ ମଧ୍ୟରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ହେଉଛି ଲ୍ୟାଣ୍ଡିଂ, ଯାହା ବହୁତ କଷ୍ଟକର ଓ ଜଟିଳ। ଏଥିରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ୧୫ରୁ ୨୦ ମିନିଟ୍। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂରେ ଏହି ୧୫ ମିନିଟ୍ ବହୁତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ସେହି ସମୟର ଇସ୍ରୋ ପ୍ରମୁଖ କେ ଶିବମ ମିଶନର ବିଫଳତା ପାଇଁ ୧୫ ମିନିଟ୍କୁ ଆତଙ୍କର ଆଖ୍ୟା ଦେଇଥିଲେ।
୨୦୧୯ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ମୋଡ୍ୟୁଲ ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଉଚ୍ଚତା ପର୍ଯ୍ୟନ୍ତ ତଳକୁ ଆସି ସାରିଥିଲା। ଏ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥିଲା। ମାତ୍ର ଏହା ପରେ ଏକ ଛୋଟ ଯାନ୍ତ୍ରିକ ତ୍ରୁଟି କାରଣରୁ ଲ୍ୟାଣ୍ଡର ମୋଡ୍ୟୁଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମୋଡ୍ୟୁଲ ସହିତ ଏହି ଧରଣର ସମସ୍ୟା ତଥା ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯଦି ଅବତରଣ ସମୟରେ ଛୋଟ ତ୍ରୁଟି ଉତ୍ପନ ହୁଏ ସେଥିପାଇଁ ବୈଜ୍ଞାନିକ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ନେଇ ଅତି ସତର୍କତାର ସହ ଆଗକୁ ବଢୁଛନ୍ତି।
ଯଧି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ନମର ଅବତରଣ କରିବାରେ ସଫଳ ହୁଏ ତେବେ ଭାରତ ଏହି ସଫଳତା ହାସଲ କରିବାରେ ଦୁନିଆର ଚତୁର୍ଥ ଦେଶ ହେବ। ଏହା ପୂର୍ବରୁ ଆମେରିକା, ରୁଷ ଓ ଚୀନ ଏହି ଅଭିଯାନରେ ସଫଳ ହୋଇ ସାରିଛନ୍ତି।
ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ସୁରକ୍ଷିତ ଅବତରଣର ସମସ୍ତ ପ୍ରସ୍ତୁତି ପୂରା ହୋଇ ସାରିଛି। ଆସନ୍ତାକାଲି ନ ହେଲେ ଅଗଷ୍ଟ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩। ବୁଧବାର ଯଦି ପରିସ୍ଥିତି ଅନୁକୂଳ ନ ହୁଏ ତେବେ ୨୭ରେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩କୁ ଅବତରଣ କରାଯିବ। ଏ ନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଆସନ୍ତାକାଲି ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ବଦଳା ଯାଇପାରେ। ଯଦି ଚନ୍ଦ୍ରର ସ୍ଥିତି ଏବଂ ଲ୍ୟାଣ୍ଡରର ସ୍ଥିତି ଅନୁକୂଳ ନ ଥାଏ ତେବେ ଘୁଞ୍ଚା ଯାଇପାରେ। ଯଦି ସବୁ କିଛି ଠିକ୍ ରହେ ତେବେ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ମିଶନ ନିର୍ଦ୍ଧାରିତ ପ୍ରକ୍ରିୟାରେ ଚାଲିଛି। ସିଷ୍ଟମର ନିୟମିତ ଯାଞ୍ଚ କରାଯାଉଛି।