ଇସ୍ରୋ ମୁଖ୍ୟଙ୍କ ଘୋଷଣା...ଚନ୍ଦ୍ରଯାନ-୪ ଏବଂ ଚନ୍ଦ୍ରଯାନ-୫ର ଡିଜାଇନ ପ୍ରସ୍ତୁତ, ପାଞ୍ଚ ବର୍ଷରେ ଲଞ୍ଚ୍‌ କରାଯିବ ୭୦ ଉପଗ୍ରହ

Published By : Prameya-News7 Bureau | August 20, 2024 IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଅଧ୍ୟୟ ଏସ୍.ସୋମନାଥ ଚନ୍ଦ୍ରଯାନ-୪ ମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଏହାର ଡିଜାଇନ୍ ପ୍ରସ୍ତୁତ ସରିଛି । ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ-୩ ମିଶନ ପୂରା ହୋଇସାରିଛି । ଏବେ ଚନ୍ଦ୍ରଯାନ-୪ ଏବଂ ଚନ୍ଦ୍ରଯାନ-୫ ଉପରେ ନଜର ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଦୁଇ ମିଶନ ପାଇଁ ଡିଜାଇନ୍ ପ୍ରସ୍ତୁତ ସରିଛି ଏବଂ ସରକାରଙ୍କ ମଞ୍ଜୁରୀ ପାଇଁ ଅପେକ୍ଷା ରହିଛି । ସେ କହିଛନ୍ତି ଯେ ଆମେ ଆଉ ଏକ ଷ୍ଟେସନ ନିର୍ମାଣ କରିବାକୁ ଚାହୁଁଛୁ, ଯେଉଁଠାରେ ୫ ମଡ୍ୟୁଲ୍ ରହିବ । ଏହାର ପ୍ରଥମ ମଡ୍ୟୁଲ୍ ୨୦୨୮ରେ ଲଞ୍ଚ୍ କରାଯିବ, ଯାହାର ଡିଜାଇନ୍ ପ୍ରସ୍ତୁତ ଅଛି । ସରକାରଙ୍କ ମଞ୍ଜୁରୀ ପାଇଁ ଏହାକୁ ପଠାଯିବ । 

ଚନ୍ଦ୍ରରେ ପ୍ରଥମ ଭାରତୀୟ କେବେ ପାଦ ରଖିବେ ବୋଲି ଇସ୍ରୋ ମୁଖ୍ୟଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଛନ୍ତି ଯେ ଚନ୍ଦ୍ରକୁ ମନାବ ପହଞ୍ଚିବା ଦିଗରେ ଆମ ମିଶନ ଜାରି ରହିଛି । ତେବେ ଏଥିରେ ସମୟ ଲାଗିବ ଏବଂ ଆମେ ଏଥିପାଇଁ ୨୦୪୦ ଯାଏ ଟାର୍ଗେଟ୍ ରଖିଛୁ । ସେ କହିଛନ୍ତି, 'ଏହି ଦିଗରେ ଧୀରେ ଧୀରେ ଆଗକୁ ବଢୁଛୁ । ତେବେ ଏହି ପ୍ରକ୍ରିୟା କିଛି ବର୍ଷ ପରେ ଆରମ୍ଭ ହେବ । ଏଥିପାଇଁ ଯେଉଁ ନିବେଶର ଆବଶ୍ୟକତା ପଡ଼ିବ, ତାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି ।' ସେ କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷରେ ଇସ୍ରୋ ପ୍ରାୟ ୭୦ ସାଟେଲାଇଟ୍ ଲଞ୍ଚ୍‌ କରିବାକୁ ଯୋଜନା ରଖିଛି ।

ଚନ୍ଦ୍ରଯାନ-୪ ମିଶନରେ ଚନ୍ଦ୍ରପୃଷ୍ଠରୁ ପଥର ଏବଂ ମାଟିର ସାମ୍ପଲ୍ ଅଣାଯିବ । ଏଥିରେ ସଫ୍ଟ ଲ୍ୟାଣ୍ଡିଂ ହେବ । ଏହାଠାରୁ ଅଧିକ ଜରୁରି ମିଶନର ସ୍ପେସ୍ ଡକିଙ୍ଗ (Space Docking) କରାଯିବ । ଅର୍ଥାତ୍ ଚନ୍ଦ୍ରଯାନ-୪କୁ ମହାକାଶକୁ ଦୁଇଟି ଭାଗରେ ପଠାଯିବ । ଏହାପରେ ମହାକାଶରେ ଏହାକୁ ଯୋଡ଼ାଯିବ । ଏହି କାମ ଇସ୍ରୋ ପ୍ରଥମ ଥର କରିବାକୁ ଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.