ଭୁବନେଶ୍ୱର ୦୪।୧୧ : ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ନେତା ଚରଣ ଦାସ ମହନ୍ତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଚରଣ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ କଂଗ୍ରେସର ବହୁ ନେତା ସ୍ୱାଗତ ଲାଗି ପହଞ୍ଚିଥିଲେ । ବିମାନବନ୍ଦରରୁ ବାହାରିବା ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ କଂଗ୍ରେସ ଭବନ ଅଭିମୁଖେ ବାହାରିଛନ୍ତି।
ରାଜ୍ୟ ପିସିସି ସଭାପତି ଚୟନ ପ୍ରସଙ୍ଗରେ ଚରଣ ଦାସ କହିଛନ୍ତି ଯେ, ମୋ ପାଖେ ଲବି କାମ ଦେବନି। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଓଡ଼ିଶା ଆସିଛି। ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଜୁନିୟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା ଶୁଣିବି। ଚର୍ଚ୍ଚା ହେଉଥିବା ନାଁ ପ୍ରଭାବ ପକାଇବନି। ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ବେଳକୁ ହାଇକମାଣ୍ଡଙ୍କ ପାଖେ ରିପୋର୍ଟ ପ୍ରଦାନ କରିବି। ଏହାପରେ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । କିଏ ହେବ ରାଜ୍ୟର ପରବର୍ତ୍ତୀ ପିସିସି ମୁଖିଆ ।
ସୂଚନାଯୋଗ୍ୟ ଯେ, ସୋମବାରଠାରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ। ଚରଣ ଦାସ ମହନ୍ତ କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ବୈଠକ କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏସବୁ ପରେ ରାଜ୍ୟ କଂଗ୍ରେସ ମୁଖିଆ ନାଁରେ ମୋହର ବାଜିବ।