ଚୌଦ୍ଵାର: ଲିଫ୍ଟ ଦେବା ବାହାନାରେ ଗାଡ଼ିରେ ବସାଉଥିଲେ। ଆଉ ଗାଡ଼ି ଭିତରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍ କରୁଥିଲେ। ହେଲେ ଏବେ ପଡ଼ିଲେ ପୋଲିସ ଫାସରେ। ଚୌଦ୍ବାର ପୋଲିସ ଏଭଳି କାମ କରୁଥିବା ତିନି ଜଣକୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, କଟକର ମାନସ ରଞ୍ଜନ ଧଳ ଗତ ଜାନୁଆରୀ ୨୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ କୌଣସି କାମରେ ଯାଇଥିଲେ। ତେବେ କାମ ସାରି ସନ୍ଧ୍ୟାବେଳେ କଟକ ଅଭିମୁଖେ ଆସିବା ପାଇଁ ଦୁହୁରିଆ ଛକରେ ବସ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ କାର୍ ଆସି ତାଙ୍କ ପାଖରେ ଲାଗିଥିଲା । କାରରେ ବସିଥିବା କିଛି ବ୍ୟକ୍ତିା ତାଙ୍କୁ କଟକରେ ଛାଡ଼ି ଦେବାକୁ କହି ଲିଫ୍ଟ ଦେଇଥିଲେ।
ହେଲେ ତାଙ୍କୁ ଭୁଲ ରାସ୍ତାରେ ଆଣିବା ସହତ ତାଙ୍କ ମୁଣ୍ଡରେ ଖେଳଣା ବନ୍ଧୁକ ଲଗାଇ ୨୨ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ୍ ଓ କିଛି କାଗଜପତ୍ର ଥିବା ବ୍ୟାଗ ଲୁଟ କରିଥିଲେ। ଆଉ ଚୌଦ୍ଵାରଠାରେ ଛାଡ଼ି ଚାଲିଯାଇଥିଲେ ।
ଏନେଇ ଲୁଟ୍ର ଶିକାର ହୋଇଥିବା ମାନସ ରଞ୍ଜନ ଜାନୁଆରୀ ୨୯ରେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଚୌଦ୍ଵାର ପୋଲିସ ତିନିଜଣ ଅଭିଯୁକ୍ତ ଲୁଟରାଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ହୋଣ୍ଡା ଆମେଜ୍ କାର୍, ଗୋଟିଏ ଖେଳଣା ବନ୍ଧୁକ, ମୋବାଇଲ ଫୋନ ଓ କିଛି କାଗଜ ପତ୍ର ଜବତ୍ କରିଛି । ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ାର ତ୍ରିଲୋଚନ ସାମନ୍ତରାୟ, ଆଦିତ୍ୟ କୁମାର ବେହେରା ଓ ସୁନ୍ଦରଗଡ଼ ଜିଲ୍ଲାର ସିବା ପ୍ରସାଦ ଦାସ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।