ଶୁକ୍ରବାରଠୁ ମେଢ଼ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ, ରାଜନୀତି ସରଗରମ

Published By : Prameya-News7 Bureau | October 10, 2024 IST

ଭୁବନେଶ୍ଵର: କାଲିଠୁ ମେଢ଼ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର- କଟକ ସମେତ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସେପଟେ ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ ବୁଲିବାକୁ ମଧ୍ୟ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂଜାମଣ୍ଡପ ବୁଲା ପ୍ରୋଗ୍ରାମକୁ ନେଇ ପାର୍ବଣରେ ସରଗରମ ହୋଇଛି ବିଜେପି-ବିଜେଡି ରାଜନୀତି । 

ମେଢ଼ ବୁଲିବେ ମୋହନ ଓ ନବୀନ । ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କାଲିଠୁ ଭୁବନେଶ୍ବର , କଟକ ଓ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ମହିଷାମର୍ଦ୍ଦିନୀଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଲି ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ମହାଷ୍ଟମୀ ପୂଜା ଅବସରରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପକୁ ଯିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟା ଠାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ପୂଜାମଣ୍ଡପ ବୁଲିବେ । 

ପ୍ରଥମେ ପୁରୁଣା ଭୁବନେଶ୍ବର ପାଟଣା ସାହିରୁ ମେଢ଼ ବୁଲା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ସହିଦ ନଗର, ବମିଖାଲ, ଲକ୍ଷ୍ମୀସାଗର ଏବଂ ଶେଷରେ ଷ୍ଟେସନ ବଜାର ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ସେହିଭଳି ୧୨ ତାରିଖ ଶନିବାର କଟକରେ ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ଦୁର୍ଗାଙ୍କ ଦର୍ଶନ କରିବେ । ୧୩ ତାରିଖରେ ଦଶହରା ଦିନ ନିଜ ଜିଲ୍ଲା କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । 

ସେପଟେ ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମଧ୍ୟ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଦିନ ୧୦ଟା ୪୫ରେ ରସୁଲଗଡ଼ ପୂଜା ମଣ୍ଡପକୁ ଯିବେ ନବୀନ । ସେଠାରେ ମା’ ଦୁର୍ଗାଙ୍କ ଦର୍ଶନ କରିବେ । ଏହା ପରେ ଦିନ ୧୧ଟା ୫ରେ ସହିଦ ନଗର ଓ ୧୧ଟା ୨୫ରେ ବଡ଼ଗଡ଼ ପୂଜା ମଣ୍ଡପକୁ ଯିବେ ନବୀନ । ଏମିତିରେ ବିଜେଡି ନେତା କହିଛନ୍ତି, ଲୋକ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ପାଖକୁ ଆସନ୍ତୁ, ସେମାନଙ୍କ ସହ ମିଶନ୍ତୁ। ନବୀନ ଯେଉଁ ପୂଜା ମଣ୍ଡପ ଯିବେ ସେଠାକାର ମାହୋଲ କିଛି ଭିନ୍ନ ହେବ ବୋଲି କହିଛନ୍ତି ବିଜେଡି ନେତା।

ଏହା ପୂର୍ବରୁ ଗଲା ଗଣେଶ ପୂଜାରେ ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ ନବୀନ । ଆଉ ନବୀନଙ୍କୁ ଦେଖିବା ଲାଗି ପୂଜା ମଣ୍ଡପଗୁଡ଼ିକରେ ବିପୁଳ ଜନସମାଗମ ହୋଇଥିଲା । ତେବେ ଚଳିତ ବର୍ଷ ଦଶହରାରେ ଓଡ଼ିଶାର ଦୁଇ ବଡ଼ ନେତା ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲା କାର୍ଯ୍ୟକ୍ରମ ବିଜେପି-ବିଜେଡି ରାଜନୀତିକୁ ମଧ୍ୟ ସରଗରମ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.