ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 18, 2024 IST

ବାଲେଶ୍ବର ୧୮।୯: ଲଗାଣ ବର୍ଷା ପ୍ରଭାବରେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଜଳସ୍ତର ବଢ଼ିଛି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ପାଣି ପଶିଛି । ଲୋକେ ଜଳବନ୍ଦୀ ହୋଇ ଅଛନ୍ତି । ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଆଗକୁ ସୁବର୍ଣ୍ଣରେଖା ଜଳସ୍ତର ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ବସ୍ତା, ଭୋଗରାଇ ଓ ବାଲିଆପାଳରେ ଅଧିକ ବିପଦ ସୃଷ୍ଟି କରିପାରେ । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକାପ୍ଟର ଯୋଗେ ଆକାଶମାର୍ଗରୁ ବାଲେଶ୍ୱରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ସିଡବ୍ଲୁସିର ପୂର୍ବାନୁମାନ ଅନୁସାରେ, ସୁବର୍ଣ୍ଣରେଖା ଜଳସ୍ତର ୧୦.୯୫ମିଟର ଉଚ୍ଚତାରେ ପ୍ରବାହିତ ହୋଇପାରେ । ଏହା ହେଉଛି ଏହି ନଦୀର ସର୍ବୋଚ୍ଚ ଜଳପ୍ରବାହ ସ୍ତର । ଏହା ପ୍ରଭାବରେ ବାଲେଶ୍ୱରର ବନ୍ୟା ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବାଲେଶ୍ୱର ସମେତ ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ରୋଡ୍‌ଠାରେ ବିପଦ ସଙ୍କେତ ସ୍ତର ୬.୫୦ ମିଟର ଥିବାବେଳେ ଏଠାରେ ୬. ୭୬ମିଟର ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । 

ସୁବର୍ଣ୍ଣରେଖା ଜଳସ୍ତର ମଧ୍ୟ ବିପଦ ସଙ୍କେତ ଟପିଯାଇଛି । ବୁଢ଼ାବଳଙ୍ଗ ନଦୀରେ ଏନ୍‌ଏଚ୍‌-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର ଥିବାବେଳେ ୭.୫୨ ମିଟର ଉଚ୍ଚତାରେ ପାଣି ଚାଲିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି । ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଏବେ ୧୮ ମିଟରରେ ଜଳ ପ୍ରବାହିତ ହେଉଛି । ଏବେ ଏହି ଜଳସ୍ତର ହ୍ରାସ ପାଉଛି । 

You Can Read:

ଯାତ୍ରା ମଝିରେ ଖବର ଆସିଲା ବାପା ଚାଲିଗଲେ, ମନରେ କୋହ ଚାପି ଅଭିନୟ ଶେଷ କଲେ ନାୟିକା ଟିକିନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.