ସୁନା ଦର ଆକାଶ ଛୁଆଁ କରିଛି ଚୀନ, ଡ୍ରାଗନର ଏତେ ସୁନା ହେବ କ’ଣ?

Published By : Prameya-News7 Bureau | January 10, 2025 IST

ନୂଆଦିଲ୍ଲୀ ୧୦।୧: ଭାରତୀୟଙ୍କ ପାଇଁ ସୁନା କେବଳ ଏକ ଧାତୁ ନୁହେଁ, ଏହା ସେମାନଙ୍କ ପରମ୍ପରା ଓ ଆସ୍ଥା ସହିତ ଯୋଡି ହୋଇ ରହିଥିବା ଏକ ସାମଗ୍ରୀ। ଦେଶର ଅଧିକାଂଶ ରାଜ୍ୟରେ ଯେ କୌଣସି ଶୁଭ କାମ ପାଇଁ ଲୋକେ ନିଜ ସାମର୍ଥ୍ୟ ଅନୁସାରେ ନିଶ୍ଚିତ ସୁନା ବ୍ୟବହାର କରନ୍ତି। ହେଲେ ଏବେ ଭାରତୀୟଙ୍କ ଲାଗି ସୁନା କିଣିବା ସାତ ସପନ ହେଲାଣି। ସୁନା ଦର ସବୁଦିନ ବଢିବାରେ ଲାଗିଛି। ତେବେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ସୁନାର ଏପରି ଦରବୃଦ୍ଧି ପଛରେ ଅନ୍ୟ କାହାର ନୁହେଁ ଚୀନର ହାତ ରହିଛି। ତେବେ ଆସନ୍ତୁ ଜାଣିବା ଏତେ ସୁନା ଚୀନ୍ କିଣୁଛି କାହିଁକି?

ଭାରତରେ ସୁନା ମୂଲ୍ୟ ଲଗାତାର ବଢିବାର ଲାଗିଛି ୯ ଜାନୁୟାରୀ ଗୁରୁବାର ମଧ୍ୟ ୧୦ ଗ୍ରାମ ପିଛା ସୁନା ଦରରେ ୩୦୦ ଟଙ୍କା ବୃଦ୍ଧି ହୋଇଥିଲା। ଗୁରୁବାର ୧୦ଗ୍ରାମ ୨୪ କ୍ୟାରେଟ ସୁନା ଦର ୮୦,୩୦୦ ଟଙ୍କା ଥିଲା। ଯାହା ଶୁକ୍ରବାର ମଧ୍ୟ ବଢିକି ରହିଛି। ଏପରି ଦର ବୃଦ୍ଧି ପଛରେ ପଡୋଶୀ ଚୀନ୍‌ର ହାତ ଥିବା ଏକ୍ସପର୍ଟମାନେ ମଧ୍ୟ ମାନୁଛନ୍ତି। ‘ଫାଇନାନସିଆଲ ଏକ୍ସପ୍ରେସ୍’ ରିପୋର୍ଟ ଅନୁସାରେ ପ୍ୟୁପିଲସ୍ ବ୍ୟାଙ୍କ ଅଫ ଚାଇନା (ପିବିଓସି) ଲଗାତାର ଅନ୍ତର୍ଜାତୀୟ ବଜାରରୁ ସୁନା କ୍ରୟ କରୁଛି। ଏଣୁ ଗ୍ଲୋବାଲ ମାର୍କେଟରେ ସୁନାର ଦର ବଢୁଛି। ଯାହାର ସିଧା ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି। 

ତେବେ ପ୍ରଶ୍ନ ଉଠୁଛି ଚୀନ୍‌ ଏପରି କରୁଛି କାହିଁକି? ଏତେ ସୁନା କିଣୁଛି କଣ ପାଇଁ? ଚୀନ୍‌ର କଞ୍ଜ୍ୟୁମର ପ୍ରାଇସ ସମ୍ପର୍କିତ ଇନଫ୍ଲେସନ ହାର ଲଗାତାର ହ୍ରାସ ହେବାରେ ଲାଗିଛି। ଏକ ସମୟରେ ଏହା ହ୍ରାସ ହୋଇ ଶୁନକୁ ମଧ୍ୟ ପଳାଇ ଆସିଥିଲା। ଏଣୁ ଦେଶର ଆର୍ଥିକ ବିକାଶକୁ ନେଇ ଚିନ୍ତା ଚୀନର ବଢିବାରେ ଲାଗିଛି। ଏଣୁ ସୁନା କ୍ରୟ କରି ଚୀନ୍‌ ଏହି ସମସ୍ୟାରୁ ପାର ପାଇ ପାରିବ ବୋଲି ଅନୁମାନ କରୁଛି। ଉଲ୍ଲେଖଯୋଗ୍ୟ ଯେ ଏବେକା ବୈଶ୍ୱିକ ଇକ୍ୱଟି ମାର୍କେଟରେ ଯେପରି ଅସ୍ଥିରତା ଲାଗି ରହିଛି ଓ ଭୂ ରାଜନୈତିକ ଉତ୍ତେଜନା ବୃଦ୍ଧି ଜନିତ ପରିସ୍ଥିତିରେ ସୁନାରେ ନିବେଶକୁ ସବୁଠୁ ସୁରକ୍ଷିତ ମନେ କରାଯାଉଛି। 

ଏଣୁ ଚୀନ ଭବିଷ୍ୟତର ଚ୍ୟାଲେଞ୍ଜକୁ ଅନୁମାନ କରିସାରିଲାଣି। ଏହି କାରଣରୁ ଲଗାତାର ଅନ୍ତର୍ଜାତୀୟ ବଜାରରୁ ସୁନା କିଣି ଗୋଲ୍ଡ ରିଜର୍ଭ ବଢାଇବାରେ ଲାଗିଛି। ତେବେ କେବଳ ଚୀନ୍ ନୁହେଁ ସୁନା କିଣାରେ ଭାରତ ମଧ୍ୟ ପଛରେ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଜାନୁୟାରୀ-ନଭେମ୍ବରରେ ପ୍ରଚୁର ସୁନା କିଣିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.