୬ ମାସ ଭିତରେ ତାଇୱାନ ଉପରେ ଆକ୍ରମଣ କରିବ ଚୀନ, ଆମେରିକାର ଗୁଇନ୍ଦା ରିପୋର୍ଟରେ ବଡ଼ ଦାବି

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ଚୀନ । ଚୀନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ କରିସାରିଛି ଓ ଏହି ଆକ୍ରମଣ ଚଳିତ ବର୍ଷ ହୋଇପାରେ । ଗୁଇନ୍ଦା ସୂତ୍ର ଆଧାରରେ 19ଫୋର୍ଟିଫାଇଭ୍ ନିଜ ରିପୋର୍ଟରେ ଏହି ଦାବି କରିଛି । ରିପୋର୍ଟରେ କୁହାଯାଇଛି ଯେ ଚୀନ ଆଗାମୀ ଛଅ ମାସରେ ତାଇୱାନ ଉପରେ କବଜା କରିବା ପାଇଁ ଉଦ୍ୟମ କରିପାରେ । ଏହି ଘଟଣା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଚୀନରେ ତାଇୱାନ ଉପରେ ଆକ୍ରମଣ ପାଇଁ ଦାବି ବଢି ଚାଲିଛି ।

ଆମେରିକା ଲଗାତାର ତାଇୱାନକୁ ନିଜ ସମର୍ଥନ ଜଣାଉଛି । ତେବେ ଚୀନର କମ୍ୟୁନିଷ୍ଟ ପାର୍ଟି ନେତା ମତରେ ତାଇୱାନ ଉପରେ ଚୀନର ଅଧିଗ୍ରହଣ କରିବାରେ ଆମେରିକା ସଫଳ ହେବ ନାହିଁ । ଚୀନ ସେନା ଓ ସରକାର ତାଇୱାନକୁ ନିଜ ଦେଶରେ ବିଲୟ କରିବା ପାଇଁ ବିଚାର କରୁଛନ୍ତି । ଏଥିରେ ଘେରାବନ୍ଦୀ, ସୈନ୍ୟ ଆକ୍ରମଣ, ଅନ୍ୟ ବିକଳ୍ପ ସାମିଲ ରହିଛି । ତାନୱାନ୍ ବିରୁଦ୍ଧରେ ଚୀନ ଯେଉଁ ସବୁ ପଦକ୍ଷେପ ନେଉଛି, ସେଥିରେ ଇଣ୍ଟରନେଟ୍ ଓ ସଚାଂର କେବୁଲ କାଟିବା, ନିର୍ବାଚନରେ ହସ୍ତକ୍ଷେପ କରିବା ଓ ମିଛ ସୂଚନା ପ୍ରଚାର ସାମିଲ ରହିଛି । ଦାବି ଅନୁସାରେ ଆମେରିକା ଏଥିରେ ହସ୍ତକ୍ଷେପ କରିପାରେ । ଏବଂ ଏହି କାରଣ ଚୀନରେ ବଡ଼ ଯୁଦ୍ଧର କାରଣ ହୋଇପାରେ ।

ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ଲାଗୁ ହେବା ପରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଚୀନ୍ ଏହି ସମୟକୁ ତାଇୱାନକୁ କବଜା କରିବା ପାଇଁ ଉପଯୁକ୍ତ ବୋଲି ଭାବୁଛି । ଆଗାମୀ ଛଅ ମାସ ମଧ୍ୟରେ ଚୀନ୍ ତାଇୱାନକୁ କବଜା କରିବାକୁ ଚେଷ୍ଟା କରିପାରେ । ରିପୋର୍ଟ ଅନୁଯାୟୀ, ଅବସରପ୍ରାପ୍ତ ଆମେରିକାର ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ କାଲିଫର୍ନିଆର ପୂର୍ବତନ ସାଂସଦ ଚକ୍ ଡେଭୋର ତିନୋଟି ସମ୍ଭାବ୍ୟ ରଣନୀତି ଉଲ୍ଲେଖ କରିଛନ୍ତି । ଏଥିରେ ଧୀରେ ଧୀରେ ପ୍ରଭାବ ବିସ୍ତାର କରିବା, ହଠାତ୍ ଏକ ବଡ଼ ଆକ୍ରମଣ ଆରମ୍ଭ କରିବା ଏବଂ ଭୁଲ ସୂଚନା ପ୍ରସାର କରି ଆଇନଶୃଙ୍ଖଳା ଭଙ୍ଗ କରିବା ।

ଡେଭୋରଙ୍କ ଅନୁଯାୟୀ, ପ୍ରଥମ ବିକଳ୍ପ ହେବ ତାଇୱାନର ସମ୍ପୂର୍ଣ୍ଣ ଅବରୋଧ । ଏଥିରେ ଚୀନ୍ ନୌସେନା ତାଇୱାନକୁ ଚାରିଆଡୁ ଘେରିଯିବ । ଏହା ତାଇୱାନର ଜଳପଥକୁ 'କିଲ୍ ଜୋନ୍'ରେ ପରିଣତ କରିବ । ତାଇୱାନ ଏହାର ୯୦ ପ୍ରତିଶତ ଖାଦ୍ୟ ଏବଂ ୧୦୦ ପ୍ରତିଶତ ପ୍ରାକୃତିକ ଗ୍ୟାସ ଜାହାଜ ମାଧ୍ୟମରେ ଆମଦାନୀ କରେ । ଫଳରେ ବାଧ୍ୟ ହୋଇ ତାଇୱାନ, ଚୀନର ସମସ୍ତ ସର୍ତ୍ତକୁ ମାନିନେବ । ଏହିପରି ବିନା କୌଣସି ବଡ଼ ଯୁଦ୍ଧରେ ତାଇୱାନ ଚୀନ ଅଧିନକୁ ଆସିଯିବ ।

ଚୀନର ଦ୍ୱିତୀୟ ରଣନୀତି ଅନୁସାରେ ତାଇୱାନ ଉପରେ ମିସାଇଲ୍ ଆକ୍ରମଣ କରିପାରେ । ଏଥିରେ ତାଇୱାନର ସୁରକ୍ଷା ତନ୍ତ୍ର କ୍ଷତି ସହିବ । ଚୀନର ହ୍ୟାକର୍ସ ତାଇୱାନର ପାୱାର ଗ୍ରିଡକୁ କ୍ରାସ୍ କରିଦେବେ ଓ ଇଣ୍ଟରନେଟ୍ ଓ ଫୋନ ନେଟୱାର୍କ ବନ୍ଦ କରିଦେବେ । ଏହାସହ ଚୀନର ୧ ଲକ୍ଷ ସୈନିକ ତାଇୱାନ ଉପରେ ଆକ୍ରମଣ କରିପାରନ୍ତି । କିଛି ଦିନ ଭିତରେ ହିଁ ତାଇପେ ଉପରେ କିପରି କବଜା କରି ହେବ ଚୀନ ସେହି ରଣନୀତି କରୁଛି ।

ଚୀନ୍‌ର ତୃତୀୟ ରଣନୀତି ସବୁଠାରୁ ଘାତକ ହୋଇପାରେ । ତାଇୱାନକୁ କବଜା କରିବା ସହିତ ଚୀନ୍ ଆମେରିକା ଏବଂ ଏହାର ସହଯୋଗୀଙ୍କ ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରିବ । ଚୀନ୍ କ୍ଷେପଣାସ୍ତ୍ର ଆକ୍ରମଣ କେବଳ ତାଇୱାନରେ ଥିବା ସାମରିକ ଘାଟିକୁ ନୁହେଁ  ବରଂ ଜାପାନ, ଗୁଆମ ଏବଂ ଫିଲିପାଇନ୍ସରେ ଥିବା ଆମେରିକୀୟ ଘାଟିକୁ ମଧ୍ୟ ଟାର୍ଗେଟ କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.