ଆମେରିକା ସୈନ୍ୟ ଅଧିକାରୀଙ୍କ ଦାବି-ସମୁଦ୍ରରେ ବୁଡ଼ି ଯାଇଛି ଚୀନ୍ ର ନୂଆ ଆଣବିକ ବୁଡ଼ା ଜାହାଜ

Published By : Prameya-News7 Bureau | September 27, 2024 IST

ୱାସିଂଟନ ୨୭।୯: ଚୀନ୍‌ର ନ୍ୟୁକ୍ଲିୟର ଏନର୍ଜୀରେ ଚାଲୁଥିବା ଆଟାକ୍ ସବମେରିନ ଚଳିତବର୍ଷ ପ୍ରାରମ୍ଭରେ ବୁଡ଼ି ଯାଇଛି। ଆମେରିକା ଏବେ ଏହି ଦାବି କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକାର ଜନୈକ ବରିଷ୍ଠ  ରକ୍ଷା ଅଧିକାରୀ ଗୁରୁବାର କହିଛନ୍ତି ଯେ ବେଜିଂ ଲାଗି ଏହା ଅତ୍ୟନ୍ତ ଲଜ୍ଜାଜନକ କଥା ଯେ ତାର ଲାଟେଷ୍ଟ ସବମେରିନ ବୁଡି ଯାଇଛି। ଏହି ସବମେରିନକୁ ନେଇ ଚୀନ୍‌ ବଡ଼ବଡ଼ ଦାବି କରୁଥିଲା। ହେଲେ ଚୀନ୍ ସବମେରିନ ବୁଡିଯିବା ଘଟଣା ପୁଷ୍ଟି ମଧ୍ୟ କରି ନାହିଁ। 

ଯଦି ଆମେରିକା ରିପୋର୍ଟରେ ସତ୍ୟତା ଥାଏ ତେବେ ଏହା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଲାଗି ବାସ୍ତବିକ ଚିନ୍ତାର ବିଷୟ, ଯିଏ ଚୀନ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛନ୍ତି।  ପ୍ରଥମରୁ ଚୀନ୍‌ର ସବୁଠୁ ବଡ଼ ନୌସେନା ଅଛି, ଯେଉଁଥିରେ ୩୭୦ରୁ ଅଧିକ ଜାହାଜ ରହିଛି ଓ ସେ ପରମାଣୁ ଶକ୍ତି ସମ୍ପନ୍ନ ସଶସ୍ତ୍ର ବୁଡ଼ା ଜାହାଜର ଏକ ନୂଆ ଜେନେରେସନ ତିଆରି କରୁଛି। ତେବେ ନାମ ନଜଣାଇବା ସର୍ତ୍ତରେ ଜନୈକ ଆମେରିକୀୟ ରକ୍ଷା ଅଧିକାରୀ କହିଛନ୍ତି ଯେ ଚୀନ୍‌ର ପରମାଣୁ ଶକ୍ତି ଚାଳିତ  ନୂଆ ପ୍ରଥମ ଶ୍ରେଣୀ ଆକ୍ରମକ ବୁଡା ଜାହାଜ ଏକ ଘାଟ ନିକଟରେ ବୁଡି ଯାଇଛି। 

ତେବେ ୱାସିଂଟନରେ ଚୀନ ଦୂତାବାସ ଅଧିକାରୀ ଆପଣ ଯେଉଁ ବିଷୟରେ କହୁଛନ୍ତି ସେ ସମ୍ପର୍କରେ ଆମର କୌଣସି ଧାରଣା ନାହିଁ ବୋଲି କହିଛନ୍ତି।  ହେଲେ ଆମେରିକୀୟ ଅଧିକାରୀ ବୁଡ଼ା ଜାହାଜ କେଉଁ କାରଣରୁ ବୁଡିଲା ଓ ସେତେବେଳେ ସେଥିରେ ପରମାଣୁ ଇନ୍ଧନ ଥିଲା କି ନା ସେ ନେଇ ସ୍ପଷ୍ଟ ରୂପେ କିଛି କହି ନାହାନ୍ତି। ତାଇୱାନ ରକ୍ଷାମନ୍ତ୍ରୀ ୱେଲିଂଟନ କୁ ସଂକେତରେ ଚୀନ୍ ସବମେରିନ ବୁଡିଯାଇଥିବା କଥା କହିଛନ୍ତି। ଏ ନେଇ ଗୁଇନ୍ଦା ସୂଚନା ମିଳିଥିବା ସେ କହିଥିଲେ। ତେବେ ଚୀନ ସବମେରିନ ବୁଡିବାର ଖବର ପ୍ରଥମେ ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.