ଜାତିସଂଘ ମହାସଭାରେ ନେତାନ୍ୟାହୁଙ୍କ ଭାଷଣ ବେଳେ ‘ଲଜ୍ଜା...ଲଜ୍ଜା’ ଚିତ୍କାର କଲେ ଦର୍ଶକ, କକ୍ଷତ୍ୟାଗ କଲେ ବହୁ ଦେଶର ପ୍ରତିନିଧି

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ ଜାତିସଂଘ ମହାସଭା ଅଧିବେଶନକୁ ଶୁକ୍ରବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସମ୍ୱୋଧନ କରିଛନ୍ତି । ତେବେ ଏହି ସମୟରେ ନେତାନ୍ୟାହୁଙ୍କୁ ବିଶ୍ୱ ନେତାଙ୍କ ଅସନ୍ତୋଷର ସାମନା କରିବାକୁ ପଡ଼ିଛି । ନେତାନ୍ୟାହୁଙ୍କ ଭାଷଣ ଆରମ୍ଭ ବେଳେ ଅନେକ ଦେଶର ପ୍ରତିନିଧି ମହାସଭା ଅଧିବେଶନକୁ ଛାଡ଼ି ଚାଲି ଯାଇଥିଲେ । ଏହାସହ ଉପସ୍ଥିତ ଅନ୍ୟମାନେ ଲଜ୍ଜା ଲଜ୍ଜା କହି ଚିତ୍କାର କରିଥିଲେ ।

ନେତାନ୍ୟାହୁ ନିଜ ଭାଷଣରେ କହିଛନ୍ତି, 'ଏହି ପୋଡ଼ିୟମରୁ ଅନେକ ବକ୍ତାଙ୍କ ଦ୍ୱାରା ମୋ ଦେଶ ବିରୋଧରେ ଅନେକ ମିଛି ଏବଂ ଅପବାଦ ମୁଁ ଶୁଣିଲି, ଏହାପରେ ଏଠାକୁ ଆସି ସିଧା ଜବାବ ଦେବା ପାଇଁ ନିଷ୍ପତ୍ତି ନେଲି ।' ଏହାସହ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଆକ୍ରମଣ କଥା ବିଚାର କରେ ତେବେ ଏହାର ପରିମାଣ ଭୟଙ୍କର ହେବ । ନେତାନ୍ୟାହୁ କହିଛନ୍ତି ଯେ ଇରାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାକୁ ଇସ୍ରାଏଲ୍ ଏଜେନ୍ସି ପହଞ୍ଚିପାରିବ ନାହିଁ ।

ନେତାନ୍ୟାହୁ ନିଜ ଭାଷଣରେ ଗାଜାର ହମାସ ଏବଂ ଲେବାନନର ହେଜବୁଲ୍ଲାକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଉଭୟ ସଂଗଠନ ଅକ୍ଟୋବର ୭ ପରଠୁ ଇସ୍ରାଏଲ୍ ଉପରେ ୮୦୦୦ରୁ ଅଧିକ ରେକର୍ଡ ମାଡ଼ କରିଛନ୍ତି । ଡିପ୍ଲୋମାଟଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଯଦି ହମାସ କ୍ଷମତାରେ ରହୁ, ତେବେ ସେ ପୁଣି ସଂଗଠନକୁ ବଢାଇବ ଏବଂ ଇସ୍ରାଏଲ୍ ଉପରେ ବାରାମ୍ୱାର ଆକ୍ରମଣ କରିବ, ତେଣୁ ହମାସ ଶେଷ ହେବାକୁ ପଡ଼ିବ ।' ଏହାସହ ନେତାନ୍ୟାହୁ ଇସ୍ରାଏଲ୍ ସହ ଅବିଚାର କରାଯାଉଥିବା ଅଭିଯୋଗ ଆଣି ଜାତିସଂଘକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.